ବିସିସିଆଇ ୨୦୨୩-୨୪ ବାର୍ଷିକ ଚୁକ୍ତିନାମା ତାଲିକା ଘୋଷଣା, ବାଦ୍ ପଡ଼ିଲେ ଶ୍ରେୟସ୍ ଓ ଇଶାନ

ରଣଜୀ ଟ୍ରଫି ଖେଳିବାକୁ ବିସିସିଆଇ ନିର୍ଦ୍ଦେଶ ନ ମାନିବା ଇଶାନ କିଶନ ଓ ଶ୍ରେୟାସ ଆୟରଙ୍କୁ ମହଙ୍ଗା ପଡ଼ିଛି । ବିସିସିଆଇ ବୁଧବାର ଘୋଷଣା କରିଥିବା ନୂଆ କେନ୍ଦ୍ରୀୟ ଚୁକ୍ତିରୁ ଉଭୟ ଖେଳାଳିଙ୍କୁ ବାଦ୍ ଦିଆଯାଇଛି ।

ବିସିସିଆଇ ବାର୍ଷିକ ଚୁକ୍ତିନାମା ତାଲିକାରୁ ବାଦ୍ ପଡ଼ିଲେ ଶ୍ରେୟସ୍ ଆୟର ଓ ଇଶାନ କିଶାନ । ୨୦୨୩-୨୪ ପାଇଁ ଜାରି କରାଯାଇଥିବା କଣ୍ଟ୍ରାକ୍ଟ ଲିଷ୍ଟରେ ଏହି ଦୁଇ ଖେଳାଳିଙ୍କ ନାଁ ନାହିଁ । ଉଭୟ ଖେଳାଳି ଘରୋଇ କ୍ରିକେଟରେ ଅଂଶଗ୍ରହଣ କରିନଥିଲେ । ଏହି କାରଣରୁ ବୋର୍ଡ ଅସନ୍ତୁଷ୍ଟ ଅଛି ଓ ଏହାର ପ୍ରଭାବ ଚୁକ୍ତି ତାଲିକାରେ ଦୃଶ୍ୟମାନ ହୋଇଛି । ଉତ୍ତରପ୍ରଦେଶର ବାମହାତୀ ବ୍ୟାଟସମ୍ୟାନ୍ ରିଙ୍କୁ ସିଂ ଗ୍ରେଡ୍-ସିରେ ସ୍ଥାନ ପାଇଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ଏ + ଗ୍ରେଡରେ ବିରାଟ କୋହଲି, ଜସପ୍ରୀତ ବୁମରା ଏବଂ ରବିନ୍ଦ୍ର ଜାଡେଜା ଅଛନ୍ତି। ଚଳିତ ବର୍ଷ ମୋଟ୍ ୩୦ ଖେଳାଳିଙ୍କୁ ବିସିସିଆଇ ଚୁକ୍ତିନାମା ଦେଇଛି ।

ଏହା ଅକ୍ଟୋବର ୧, ୨୦୨୩ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଅଟେ । ବୋର୍ଡ ଏଥର ଏକ ନୂଆ ପରମ୍ପରା ଆରମ୍ଭ କରିଛି । ଏଥି ଅନ୍ତର୍ଗତ ଅଲଗା ଦ୍ରୁତ ବୋଲର ଚୁକ୍ତି ଦିଆଯାଇଛି । ଏହି ତାଲିକାରେ ଆକାଶ ଦୀପ, ବିଜୟକୁମାର ବୈଶକ, ଉମରାନ ମଲିକ, ୟଶ ଦୟାଲ ଏବଂ ଭିଦ୍ବଥ କାୱେରପ୍ପା ଅଛନ୍ତି । ଯେଉଁ ଖେଳାଳିମାନେ ଏହି ସମୟ ମଧ୍ୟରେ ସର୍ବନିମ୍ନ ୩ଟି ଟେଷ୍ଟ କିମ୍ବା ୮ଟି ODI କିମ୍ବା ୧୦ଟି T20 ଖେଳିବାର ମାନଦଣ୍ଡ ପୂରଣ କରନ୍ତି, ଆନୁପାତିକ ଭିତ୍ତିରେ ସେମାନଙ୍କୁ ଗ୍ରେଡ୍ Cରେ ଅନ୍ତର୍ଭୂକ୍ତ କରାଯିବ । ଉଦାହରଣ ସ୍ୱରୂପ- ଧ୍ରୁଭ ଜୁରେଲ ଏବଂ ସରଫରାଜ ଖାନ ଏପର୍ଯ୍ୟନ୍ତ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଯଦି ସେମାନେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ସିରିଜର ପଞ୍ଚମ ଟେଷ୍ଟରେ ଅଂଶଗ୍ରହଣ କରନ୍ତି, ତେବେ ସେମାନେ ଗ୍ରେଡ୍ Cରେ ଅନ୍ତର୍ଭୁକ୍ତ ହେବେ । ଏହାବାଦ୍ ସମସ୍ତ ଖେଳାଳି ଜାତୀୟ ଦଳର ପ୍ରତିନିଧିତ୍ୱ କରୁନଥିବା ସମୟରେ ଘରୋଇ କ୍ରିକେଟ୍ ରେ ଅଂଶଗ୍ରହଣ କରିବାକୁ ପ୍ରାଥମିକତା ଦେବାପାଇଁ ବିସିସିଆଇ ପରାମର୍ଶ ଦେଇଛି । ଗ୍ରେଡ୍ ଏ+ରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୭ କୋଟି ଟଙ୍କା ପାଇଥିବା ବେଳେ ଏ-ଗ୍ରେଡ୍ ରେ ୫ କୋଟି ଟଙ୍କା ଏବଂ ବି-ଗ୍ରେଡ୍ ରେ ୩ କୋଟି ଟଙ୍କା ପାଇଥାନ୍ତି। ସି-ଗ୍ରେଡ୍ ରେ ଅନ୍ତର୍ଭୁକ୍ତ ଖେଳାଳିଙ୍କୁ ସର୍ବନିମ୍ନ ୧ କୋଟି ଟଙ୍କା ଦିଆଯାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.