ବାତ୍ୟା ଅପଡେଟ: ଓଡ଼ିଶାରେ ତିନି ଦିନ ହେବ ବର୍ଷା, ୪ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି

କେନ୍ୟୁଜ୍(ବ୍ୟୁରୋ):  ସମ୍ଭାବ୍ୟ ବାତ୍ୟା ପ୍ରବାବରେ ଓଡ଼ିଶାରେ ୩ ତାରିଖରୁ ଆରମ୍ଭ ହେବ ବର୍ଷା ପବନ । ୪ ତାରିଖରେ ବର୍ଷାର ପରିମାଣ ବଢ଼ିବ । ଦକ୍ଷିଣ ଓଡ଼ିଶା ସମେତ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ୪ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି ହୋଇଛି ।

ସେହିପରି ୭ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟକୁ ପାଣିପାଗ ବିଭାଗ ଦେଇଛି ଅରେଞ୍ଜ ୱାର୍ଣ୍ଣିଂ । ରେଡ୍‌ ଆଲର୍ଟ ଓ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରିକୁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଓଡ଼ିଶାରେ ତିନି ଦିନ ବର୍ଷା ହେବ । ପ୍ରବଳ ବର୍ଷା ଯୋଗୁ ବନ୍ୟା ଆଶଙ୍କା କରାଯାଉଛି । ତଳି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବି ରହିଛି । କଚା ଘର କାନ୍ଥ ଭୁଶୁଡ଼ିବା ସହ ରାସ୍ତାଘାଟ ପ୍ରଭାବିତ ହୋଇପାରେ । ବ୍ୟାପକ ଫସଲ ହାନୀ ଆଶଙ୍କା ରହିଛି । ବିଲରୁ ଧାନ ଫସଲ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଉଛି ।

ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ସୃଷ୍ଟିର ସମ୍ଭାବନା ରହିଛି । ପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳ ପହଞ୍ଚିବା ସମ୍ଭାବନା ରହିଛି । ଆସନ୍ତାକାଲି ଅବପାତରେ ପରିଣତ ହେବା ପରେ ବାତ୍ୟାର ସଠିକ ଆକଳନ କରାଯାଇପାରିବ । ବାତ୍ୟାର ତୀବ୍ରତା କେତେ ରହିବ ଓ କେଉଁଠି ମାଡ଼ ହେବ କାଲି ସ୍ପଷ୍ଟ ହେବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.