୨୦ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିବ ଅଷ୍ଟମ ଶ୍ରେଣୀ, କ୍ଲାସରୁମରେ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ବର(କେନ୍ଯୁଜ୍): ୨୦ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିବ ଅଷ୍ଟମ ଶ୍ରେଣୀ । କ୍ଲାସରୁମରେ ଆରମ୍ଭ ହେବ ପାଠପଢ଼ା । ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ସକାଳ ୯ଟାରୁ ଅପରାହ୍ଣ ସାଢ଼େ ୧୨ଟା ଯାଏ କ୍ଲାସ ଚାଲିବ । ସ୍କୁଲ ଆସିବାକୁ ଥିବା ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ଅନୁମତି ଆଣିବେ ।

ଆଜିଠାରୁ ରାଜ୍ୟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ ଖୋଲିବ । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ । ସେମାନଙ୍କୁ ଦିଆଯିବ ଶୁଖିଲା ଖାଦ୍ୟ । କୋଭିଡ୍‌ କଟକଣା ଭିତରେ ସ୍କୁଲ ଖୋଲାଯିବା ସହ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପ୍ରବେଶ ପଥରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କାନିଂ କରାଯିବ । ସମସ୍ତେ ପିନ୍ଧିବେ ମାସ୍କ । ହାତ ସାନିଟାଇଜ୍‌ ଉପରେ ଗୁରୁତ୍ବ ଦିଆଯିବ । ସ୍କୁଲ ଆସିବା ପାଇଁ କାହାରିକୁ ବାଧ୍ୟତାମୂଳକ କରାଯାଇ ନାହିଁ ।

ପୂର୍ବରୁ ଅନଲାଇନ୍‌ ପାଠପଢା ଜାରି ରହିବ । କଣ୍ଟେନମେଣ୍ଟ ଜୋନ୍‌ରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ବିଦ୍ୟାଳୟ ଆସିବା ମନା । ପିଲାମାନେ ଯେହେତୁ ବହୁ ଦିନ ହେଲା କ୍ଲାସରୁମ୍‌ ପାଠପଢାରୁ ଦୂରରେ ଥିଲେ ସେମାନଙ୍କୁ ପୂର୍ବ ପାଠ ବିଷୟରେ ପଢାଯିବ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଗୋଟିଏ ଘଣ୍ଟା ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠ ପଢାଯିବ । ତାକୁ ନେଇ ନିୟମିତ ବ୍ୟବଧାନରେ ପିଲାଙ୍କ ପରୀକ୍ଷା କରାଯିବ । ପୂର୍ବ ପାଠ ସେମାନେ କେତେ ମନେ ରଖିଛନ୍ତି, ସେମାନଙ୍କୁ ଆଉ କଣ ଶିକ୍ଷା ଦେବାର ଆବଶ୍ୟକତା ରହିଛି ତାଉପରେ ଦିଆଯିବ ଗୁରୁତ୍ୱ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.