ବୃଦ୍ଧ ବାପା ମା’ଙ୍କ ଅସରନ୍ତି ଦୁଃଖ: ଭେଣ୍ଡିଆ ପୁଅ ଦୃଷ୍ଟିଶକ୍ତି ହରାଇବା ପରେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି

ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ଭାଟପଡା ପଂଚାୟତର ବଉଳ ପାଳ ଗାଁର ନାରାୟଣ ଦାସ । ବୟସ ୭୦ବର୍ଷ ହେବ । ପରିବାର କହିଲେ ସ୍ତ୍ରୀ କୁସୁମ ଦାସ ଏବଂ ଏକ ମାତ୍ର ଭେଣ୍ଡିଆ ପୁଅ କାର୍ତିକ ଦାସ। କାର୍ତିକଙ୍କୁ ୩୦ ବର୍ଷ । ସେ ପୁଣି ସମ୍ପୃନ୍ନ ଦୃଷ୍ଟିହୀନ। ତେବେ କାର୍ତିକ କିନ୍ତୁ ଜନ୍ମରୁ ଦୃଷ୍ଟିହୀନ ନଥିଲେ ।

ଭଦ୍ରକ(କେନ୍ୟୁଜ): ଆଜିର ସମାଜରେ ସବୁ ବାପା ମା ଚାହାଁନ୍ତି ନିଜ ପିଲାମାନେ ଭଲ ପାଠ ପଢନ୍ତୁ । ଭଲ ଚାକିରିଟିଏ କରି କିଛି ରୋଜଗାର କରନ୍ତୁ ଏବଂ ବୃଦ୍ଧାବସ୍ଥାରେ ସେମାନଙ୍କର ସେବା କରନ୍ତୁ । କିନ୍ତୁ ଅନେକ ସମୟରେ ଭାଗ୍ୟର ବିଡମ୍ବନା ଯୋଗୁ ସେହି ରୋଜଗାରିଆ ପୁଅ ବୃଦ୍ଧ ବାପା ମାଙ୍କ ପାଇଁ ବୋଝ ପାଲଟି ଯାଆନ୍ତି । ଯେଉଁ ବୟସରେ ସେମାନେ ପୁଅ ଠାରୁ ସେବା ପାଇବା କଥା ଏବେ ସେହି ବୟସରେ ପୁଅକୁ ବଞ୍ଚାଇ ରଖିବା ସହିତ ସୁସ୍ଥ ଜୀବନ ଯାପନ ପାଇଁ ଚଳାଇଛନ୍ତି ଅହରହ ସଂଗ୍ରାମ । ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ଭାଟପଡ଼ା ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମରେ। ଏହି ଗ୍ରାମର ବୃଦ୍ଧ ବାପା ମା କିପରି ଏକମାତ୍ର ଦୃଷ୍ଟିହୀନ ପୁଅକୁ ଦାରିଦ୍ରର କଷା ଘାତ ମଧ୍ୟରେ ଜର୍ଜରିତ ହୋଇ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଆପଣ ଦେଖିଲେ କାନ୍ଦି ପକାଇବେ ।

ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ଭାଟପଡା ପଂଚାୟତର ବଉଳ ପାଳ ଗାଁର ନାରାୟଣ ଦାସ । ବୟସ ୭୦ବର୍ଷ ହେବ । ପରିବାର କହିଲେ ସ୍ତ୍ରୀ କୁସୁମ ଦାସ ଏବଂ ଏକ ମାତ୍ର ଭେଣ୍ଡିଆ ପୁଅ କାର୍ତିକ ଦାସ। କାର୍ତିକଙ୍କୁ ୩୦ ବର୍ଷ । ସେ ପୁଣି ସମ୍ପୃନ୍ନ ଦୃଷ୍ଟିହୀନ। ତେବେ କାର୍ତିକ କିନ୍ତୁ ଜନ୍ମରୁ ଦୃଷ୍ଟିହୀନ ନଥିଲେ । ବୃଦ୍ଧ ବାପା ମାଙ୍କୁ ଭଲରେ ରଖିବା ପାଇଁ କାମ ଅନ୍ୱେଷଣରେ ଆଜିକୁ ୯ବର୍ଷ ତଳେ ଚେନ୍ନାଇରେ ଯାଇ ଗୋଟିଏ କମ୍ପାନୀରେ କାମ କରୁଥିଲେ । ଖଟଣି ଅଧିକ ଦରମା କମ୍ ଥିଲା ।

ତଥାପି ସେ ସେଠାରେ ରହି କାମ କରୁଥିଲେ । ହଠାତ୍ କାର୍ତିକଙ୍କର ଦେହ ଖରାପ ହୋଇଗଲା । ଘର ସହିତ ଯୋଗାଯୋଗ ବିଛିନ୍ନ ହୋଇଗଲା । ତାଙ୍କ ବାପା ବହୁତ ଖୋଜା ଖୋଜି ପରେ ପୁଅକୁ ଶେଷରେ ପାଇଲେ । ଆଉ ରୋଗାକ୍ରାନ୍ତ ପୁଅକୁ ନେଇ ଡାକ୍ତରଙ୍କୁ ପରାମର୍ଶ କରିବାରୁ ଜଣାପଡିଲା କି ବ୍ରେନ ଟିୟୁମର ହୋଇଛି । ତେଣୁ ଅପରେସନ ପାଇଁ ଧାର କରଜ କରି ବହୁତ ଟଙ୍କା ଖର୍ଚ୍ଚ କରି ଅପରେସନ କରିଲେ । କିନ୍ତୁ ଦୁଃଖର ବିଷୟ ଅପରେସନ ପରେ ପୁଅ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ରୂପେ ହରେଇବସିଥିଲେ ।

ତେଣୁ ନାରାୟଣଙ୍କ ପରିବାର ଉପରେ ଦୁଃଖର କଳା ବାଦଲ ଘୋଟିଗଲା ଯେ ଆଜି ପର୍ଯ୍ୟନ୍ତ ତାହା ଯାଉ ନାହିଁ। ଯେଉଁ ବୟସର ପୁଅ ବାପା ମା” ଙ୍କୁ ପୋଷିବା କଥା ବର୍ତ୍ତମାନ ବାପ ମା ଦୈନିକ ମୂଳ ମଜୁରୀ ଲାଗି ପୁଅର ପେଟକୁ ଖାଦ୍ୟ ଗଣ୍ଡେ ଦେଉଛନ୍ତି । ଯେଉଁ ଦିନ କାମ କିଛି ମିଳୁ ନାହିଁ ସେ ଦିନ ଭିକ୍ଷାବୃତ୍ତି କରି ସ୍ୱାମୀ ସ୍ତ୍ରୀ ପୁଅକୁ ଦୁଇମୁଠା ଖାଇବାକୁ ଦେବା ସହ ପୁଅର ମେଡ଼ିସିନ ଖର୍ଚ୍ଚ ବି ବହନ କରୁଛନ୍ତି। ଏପରି ସ୍ଥଳେ ଘର ଖଣ୍ଡିଏ ନାହିଁ। ୧୯୯୯ ମସିହାରେ ସରକାରୀ ସହାୟତା ପାଇ ଯେଉଁ ଛୋଟିଆ ଘର ଖଣ୍ଡେ କରିଥିଲେ । ତାହାକୁ ପ୍ଳାଷ୍ଟର କରି ପରିଲେ ନାହିଁ । ସେଠାରୁ ବର୍ଷା ହେଲେ ପାଣି ଗଳୁଛି । ତେଣୁ ସେ ପାଖରେ ପାଲ ଟାଣି ଛୋଟ କୁଡ଼ିଆ ଘରେ ବହୁ କଷ୍ଟରେ ରହୁଛନ୍ତି। ସରକାରୀ ସହାୟତା କହିଲେ ଭତ୍ତା ଓ ୧୫ କିଲୋ ଚାଉଳ। ସେଥିରେ ସେମାନେ ଠିକ ଭାବେ ଚଳି ପାରୁ ନ ଥିବା ବେଳେ ପୁଅ ର ଔଷଧ ଖର୍ଚ୍ଚ ମଧ୍ୟ ବହନ କରି ପାରୁ ନ ଥିବା ସେମାନେ ଦୁଃଖର ସହିତ କହିଛନ୍ତି ।

ସେହିପରି ଭାବେ ନାରାୟଣଙ୍କ ଏପରି ଦୁଃଖଦ ଖବର ପାଇ ସେମାନଙ୍କ ଘରେ ପହଂଚି ଥିଲେ ମଣି ଶଙ୍କର ସେବା ସଂଗଠନ ର ସଦସ୍ୟ ମାନେ। ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ସହ କମ୍ବଳ, ଶାଡ଼ି,ପୁଅ ପାଇଁ ସାର୍ଟ ଟିଏ ଓ କିଛି ଅର୍ଥ ରାଶି ଦେଇଛନ୍ତି.ଯେଉଁ ଥିରେ ସେମାନେ ସବୁଦିନ ଚଳିବା କଷ୍ଟ ସାଧ୍ୟ । ତେଣୁ ସରକାର ଓ ପ୍ରଶାସନ ନାରାୟଣଙ୍କ ପରିବାରକୁ ଅନ୍ତର୍ଦ୍ୱୟ ଯୋଜନାରେ ସାମିଲ କରି ତାଙ୍କୁ ୩୫ କିଲୋ ଚାଉଳ ସହିତ ଘର ଖଣ୍ଡିଏ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ଅନ୍ୟ ପକ୍ଷରେ ଏଭଳି ଖବର ପାଇ ଜିଲ୍ଲାପାଳ ତିହିଡି ତହସିଲଦାରଙ୍କୁ ପଠାଇ ସେମାନଙ୍କ ବାସ୍ତବ ସ୍ଥିତି ଦେଖିବାକୁ ନିର୍ଦେଶ ଦେବା ସହିତ ପଲିଥିନ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ନିଶ୍ଚୟ ସହାୟତା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ନାରାୟଣଙ୍କ ପରିବାରର ଏଭଳି ଦୁଃଖଦ ପରିସ୍ଥିତିର ସୁଧାର ପାଇଁ ଉଭୟ ସରକାର, ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗର ହାତ ବଢାଇବା ନିତ୍ୟାନ୍ତ ଜରୁରୀ ।