Below header

ସମ୍ପତି ପାଇଁ ଭୁଲିଗଲେ ମାନବିକତା, ଠେଙ୍ଗା-ବାଡ଼ି ଦେଖାଇ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ମିଳିମିଶି ଭାଙ୍ଗିଦେଲେ ଘର

ଯାଜପୁର ରୋଡ( କେନ୍ଯୁଜ୍): ଜମିବାଡ଼ି ବିବାଦରୁ ଗଣ୍ଡଗୋଳ ହେବା, ମାଲି ମୋକଦ୍ଦମା ଯାଏ କଥା ଯିବା ଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଘଟୁଛି । କିନ୍ତୁ ଜମି ପାଇଁ ଠେଙ୍ଗାବାଡ଼ି ଦେଖାଇ ଧମକାଇବା ଏବଂ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ବାସଗୃହ ଭାଙ୍ଗି ଦେବା ଭଳି ଘଟଣା ବୋଧେ ବିରଳ। ଶହଶହ ଲୋକଙ୍କ ଆଖିଆଗରେ ଘଟିଥିଲା ଏହି ଘଟଣା ହେଲେ କେହି ପାଟି ନଖୋଲିନଥିଲେ। କୋରେଇ ଥାନା ଅନ୍ତର୍ଗତ ହଳିଦିଗଡ଼ିଆ ପଚାଂୟତ ଶିଶୁଆ ମୈାଜା ଶାଳକଣା ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ଅସହାୟ ବୃଦ୍ଧା ଜଣଙ୍କ ହେଉଛନ୍ତି ସାବିତ୍ରୀ ମହାରଣା । ଉକ୍ତ ଅଞ୍ଚଳରେ ସ୍ୱାମୀ-ପୁଅ-ଝିଅ ସହ ସେ ରୁହନ୍ତି । ଯାହା ଶୁଣିବାକୁ ମିଳୁଛି, ଶାଳକଣା-ଖସାଗାଡ଼ିଆ ମଧ୍ୟଭାଗରେ ବିଲ କଡ଼େ ଘର କରି ରହୁଥିବା ସାବିତ୍ରୀଙ୍କ ସ୍ୱାମୀ ଗନ୍ଧର୍ବ ଖସାଗାଡ଼ିଆର କାଳନ୍ଦୀ ମହାରଣାଙ୍କ ପୋଷ୍ୟପୁତ୍ର ହୋଇଥିବା ବେଳେ, କାଳନ୍ଦୀଙ୍କ ଜନ୍ମିତ ପୁତ୍ରଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ତାଙ୍କର ଲାଗିରହିଥିଲା ଜମିଜମା ବିବାଦ। ଯାହା ଆଜି ଉଗ୍ରରୂପ ନେଇଛି।

ଗନ୍ଧର୍ବ ରହୁଥିବା ଘରର ଜମି ଆମର ବୋଲି ଦାବି କରି କାଳନ୍ଦୀଙ୍କ ଜନ୍ମିତ ପୁତ୍ର ଅଲେଖ, ପୁତୁରା, ବନ୍ଧୁ ବାନ୍ଧବଙ୍କ ସହ ୫୦ରୁ ଅଧିକ ଲୋକ ପହଁଚି ସାବିତ୍ରୀଙ୍କ ପରିବାର ଲୋକଙ୍କୁ ଠେଙ୍ଗାବାଡ଼ି ଦେଖାଇ ଧମକାଇଥିଲେ । ଗନ୍ଧର୍ବ, ଝିଅ ଏବଂ ପୁଅ ଭୟରେ ଘରୁ ବାହାରି ପଳାଇଯାଇଥିବାବେଳେ, ବୃଦ୍ଧା ସାବିତ୍ରୀ କିନ୍ତୁ ଘରେ ରହିଯାଇଥିଲେ । ତାପରେ ଯାହା ହେଲା ତାହା ଆପଣଙ୍କ ସାମ୍ନାରେ।

old womanଘର ଖାଲି କରିବା ଉଦେଶ୍ଯରେ ଆସିଥିବା ଅଲେଖ ଏବଂ ତାଙ୍କ ବନ୍ଧୁ ବାନ୍ଧକ ସାବତ୍ରୀଙ୍କୁ ଘର ଭିତରୁ ଘୋଷାରି ଘୋଷାରି ନେଇ ଏକ ଖୁଣ୍ଟରେ ବାନ୍ଧି ଦେବା ପରେ ସେ ରହୁଥିବା ଘରକୁ ଭାଙ୍ଗିଦେଇଥିଲେ । ଉକ୍ତ ଦୃଶ୍ୟ ଦେଖିବାକୁ ଶହଶହ ଲୋକ ରୁଣ୍ଡ ହୋଇଥିଲେ ମଧ୍ଯ କେହିବି ଏହା ବିରୁଦ୍ଧରେ ପାଟି ଖୋଲିନଥିଲେ । ପୋଷ୍ୟପୁତ୍ର ଏବଂ ଜନ୍ମିତ ପୁତ୍ରଙ୍କ ମଧ୍ୟରେ ଜମିଜମାକୁ ନେଇ ୫ବର୍ଷ ତଳୁ ବିବାଦ ଲାଗିରହିଛି ବୋଲି କୁହାଯାଉଛି । କଥା ଥାନାରୁ କୋର୍ଟକୁ ଯାଇଛି । ହୋଇପାରେ ଏହା ସତ କିନ୍ତୁ ଘର ଭାଙ୍ଗି , ଜଣେ ବୃଦ୍ଧାଙ୍କୁ ଏଭଳି ଅବସ୍ଥାରେ ବାନ୍ଧିବା ଘଟଣା ଅତି ଲଜ୍ଜାଜନକ ।

ଏଭଳି ଘଟଣା ଆଇନକୁ ହାତକୁ ନେବା ଭଳି ହୋଇଥିବା ବେଳେ ଗନ୍ଧର୍ବ ଏବଂ ତାଙ୍କ ପୁଅ-ଝିଅ ଏନେଇ କୋରେଇ ଥାନାରେ ପହଁଚି ଅଭିଯୋଗ କରିଥିଲେ ମଧ୍ଯ ପୋଲିସ ଘଟଣା ସ୍ଥଳକୁ ଯାଇନଥିଲା । ଯାହାଫଳରେ ବୃଦ୍ଧାଙ୍କୁ ବାନ୍ଧି ଦୁଇ ଘଟାଂରୁ ଅଧିକ ସମୟ ଯାଏ ଅଲେଖ ସମେତ ବନ୍ଧୁ ବାନ୍ଧବ ଛପର ଘର ସହ ଆବେଷ୍ଟ ଘରକୁ ଭାଙ୍ଗି ଦେବାକୁ ସମର୍ଥ ହୋଇଥିଲେ। । ତେବେ ଏଭଳି ଅଭାବନୀୟ ଘଟଣା ଉପରେ ପୋଲିସ ପରବର୍ତ୍ତୀ ସମୟରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା କେବଳ ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.