ଚାଷ ଜମିରେ ସମୂଦ୍ର ଜୁଆର: ଚାଷ ଉଜାଡିବ କି ଲୁଣି ପାଣି, ଚିନ୍ତାରେ ଭଦ୍ରକ ଓରାସାହି ପଂଚାୟତର ଚାଷୀ?

ଭଦ୍ରକ (କେନ୍ୟୁଜ): ଆଷାଢ ଯାଇ ଶ୍ରାବଣ ହେଲା, ହେଲେ ଚାଷ ପାଇଁ ଯେତିକି ପରିମାଣର ବର୍ଷା ଦରକାର ଥିଲା ତାହା ହେଲାନାହିଁ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ରେ ସ୍ୱାଭାବିକ ବର୍ଷା ହୋଇପାରିନାହିଁ। ଜଳବାୟୁର ଏପରି ପରିବର୍ତ୍ତନ ତଥା ନିଅଣ୍ଟିଆ ବର୍ଷା ଚାଷୀ ପାଇଁ ସମସ୍ୟା ସୃଷ୍ଟି କରିଛି । ଅନ୍ୟପଟେ ନଦୀରୁ ଭଙ୍ଗା ଗେଟ ଦେଇ ଲୁଣା ପାଣି ଜମିକୁ ମାଡି ଆସୁଛି। ଯାହା ଦ୍ୱାରା ତଳି ସବୁ ଲାଲ ପଡି ନଷ୍ଟ ହେଇଯାଉଛି । ଚାଷ କାମ ଆଗେଇ ପାରୁନଥିବାରୁ ବର୍ତମାନ ଚାଷକାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି ।

ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତର ଚାଷ ଜମିର ଦୃଶ୍ୟ । ପାଣି ଅଭାବ ପାଇଁ ଜମି ଫାଟି ଆଁ କରିଛି । ଯେଉଁ ଜମିରେପାଣି ଅଛି ସେ ଲୁଣା ପାଣି ତେଣୁ ତଳି ବି ଲାଲ ପଡି ନଷ୍ଟ ହୋଇଗଲାଣି । ଶହଶହ ହେକ୍ଟର ବିଲରେ ପାଣି ଅଭାବ ସାଙ୍ଗକୁ ଲୁଣା ପାଣି ପାଇଁ ଖରିଫ ଚାଷ ଏବେ ବାଧାପ୍ରାପ୍ତ । ତିନି ତିନି ଥର ଚାଷୀ ବିଲରେ ତଳି ପକାଇ ସାରିଲେଣି । ହେଲେ ବିଲରେ ଲୁଣା ପାଣି ପାଇଁ ତଳି ବଢିବା ସମୟରେ ଲାଲ ପଡି ନଷ୍ଟ ହୋଇଯାଉଥିବାର ଅଭିଯୋଗ କରିଛନ୍ତି ଚାଷୀ । ତେଣୁ ଚାଷ କାମ ଆଗେଇ ପାରୁନଥୁବାରୁ ଚିନ୍ତାରେ ଶହଶହ ଚାଷୀ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ୟଶ ବାତ୍ୟାରେ ସମୁଦ୍ରରୁ ଲୁଣା ପାଣି ଉଠି ଆସି ଏହି ପଂଚାୟତରେ ଶହଶହ ହେକ୍ଟର ଚାଷ ଜମିରେ ଦୀର୍ଘ ୧୫ଦିନ ଧରି ଜମି ରହିଥିଲା । ପରେ ଆବଶ୍ୟକ ମୁତାବକ ବର୍ଷା ନହେବାରୁ ବିଲରୁ ଲୁଣା କଟିଲା ନାହିଁ । ବର୍ତମାନ ଗଳିଆ ପାଖରେ ଥିବା ସୁଇସ ଗେଟ ଭାଙ୍ଗି ପଡିଥିବାରୁ ଏହି ବାଟ ଦେଇ ନଦୀରୁ ଲୁଣା ପାଣି ଚାଷ ଜମିକୁ ମାଡୁଛି । ତେଣୁ ଭଙ୍ଗା ସୁଇସ ଗେଟ ସାଙ୍ଗକୁ ଲୁଣା ପାଣି ଚାଷୀଙ୍କ ଚାଷ କାମରେ ବାଧା ସୃଷ୍ଟି କରିଛି । ଏହି ପଂଚାୟତର ଲୋକମାନେ ଧାନ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଚାଷ କାମ ଆଗେଇ ପାରୁନଥିବାରୁ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । ତେବେ ଚାଷୀଙ୍କ ପାଖରେ ଆଉ ବିହନ ନାହିଁ , ତେଣୁ କିପରି ଚାଷ କରିବେ ସେ ଚିନ୍ତାରେ ଓରାସାହି ପଂଚାୟତର ଚାଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.