ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ବାସୁଦେବପୁର(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ଶୁକଦେବପୁର ଛକ ନିକଟରେ ମୋଟର ସାଇକେଲ ଧକାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗତକାଲି ରାତିରେ ଭଦ୍ରକରୁ ବାସୁଦେବପୁର ଆସୁଥିବା ବେଳେ ଶୁକଦେବପୁର ଛକ ନିକଟରେ ମୋଟର ସାଇକେଲଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାନେ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ ।

ହେଲେ ଡାକ୍ତରଖାନାରେ ପହଂଚିବା ବେଳକୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କର ଅବସ୍ଥା ଗୁରୁତର ହୋଇ ପଡିଥିଲା । ଗୁରୁତର ଜଣକୁ ଅଧିକ ଚିକିତ୍ସା ନିମନ୍ତେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଚାନ୍ଦବାଲି ବ୍ଲକ କଇଥଖୋଲା ଗ୍ରାମର ସହଦେବ ସେଠୀଙ୍କ ୧୯ବର୍ଷର ପୁଅ ସତ୍ୟ ପ୍ରକାଶ ସେଠୀ ଓ ଗୁରୁତର ଜଣକ ହେଉଛନ୍ତି ସେହି ଗ୍ରାମର ରବିନ୍ଦ୍ର ସେଠୀଙ୍କ ୨୨ବର୍ଷର ପୁଅ ଶାନ୍ତନୁ ସେଠୀ ବୋଲି ଜଣା ପଡିଛି । ଉଭୟ କୌଣସି କାରଣ ପାଇଁ ଭଦ୍ରକ ଯାଇ ଫେରୁଥିବା ବେଳେ ରାସ୍ତାରେ ଦୂର୍ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.