ଗୁଣୁପୁର ଗ୍ରାମାଞ୍ଚଳରେ ପୁଣି ମାତିଲେ ୬ ଟିକିଆ ହାତୀପଲ: ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ

ଗୁଣୁପୁର(କେନ୍ୟୁଜ): କିଛି ମାସର ବ୍ୟବଧାନ ପରେ ପୁଣି ଆଜି ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଳକ୍ ଗ୍ରାମାଞ୍ଚଳରେ ପୁଣି ମାତିଲେ ୬ ଟିକିଆ ହାତୀପଲ । ଆଜି ହାତୀ ଆକ୍ରମଣରେ ଟଲନା ପଞ୍ଚାୟତ ବଡମସିଂ ଗ୍ରାମର ଇରିଣ୍ଡି ଶବର ନାମକ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ସବୁଦିନ ପରି ନିଜ କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଇରିଣ୍ଡି ହାତୀଙ୍କ ହାବୁଡ଼ରେ ପଡିଯାଇଥିଲେ । ଫଳରେ ପ୍ରାଣ ବିକଳରେ ଦୌଡ଼ି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ଶୁଣ୍ଢରେ ଟାଣିନେଇ ହାତୀ ଦଳି ଦେଇଥିବା ସୂଚନା ମିଳିଛି ।
ଖବରପାଇ ଗୁଣୁପୁର ଜଙ୍ଗଲ ବିଭାଗର କର୍ମକର୍ତ୍ତା ମାନେ ପହଁଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠେଇଛନ୍ତି । ହାତୀ ପାଖକୁ ନଯିବା ପାଇଁ ଗୁଣୁପୁର ବନ ବିଭାଗ କର୍ମଚାରୀ ମାନେ ଅଞ୍ଚଳରେ ଗାଁ ଗାଁ ବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ମୃତକ ଜଣେ ନିହାତି ଗରୀବ ହୋଇଥିବାରୁ ଉପଯୁକ୍ତ କ୍ଷତିପୂରଣ ଦବାକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଛି ।