ଟମାଟୋ ପରେ କନ୍ଦାଇଲାଣି ପିଆଜ, କିଲୋ ପିଛା ୫୦ ଛୁଇଁଲା

ପୁଣି କନ୍ଦାଇବା ଆରମ୍ଭ କଲାଣି ପିଆଜ । ପିଆଜ କିଲୋ ରାଜ୍ୟର ଖୁଚୁରା ବଜାରରେ ୫୦ରେ ପହଞ୍ଚିଲାଣି । ୨ ସପ୍ତାହ ତଳେ ଏହା ୩୦ ରୁ ୩୫ ଟଙ୍କା ଥିଲା । ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ପଡିଲେଣି ଅଡୁଆରେ । ଯେଉଁଠି ଖାଉଟି କେଜିଏ ପିଆଜ କିଣୁଥିଲା ସେଠି ଏବେ ଅଧା କେଜିରେ କାମ ଚଲାଇବାକୁ ବାଧ୍ୟ ହେଉଛି ।

ଭୁବନେଶ୍ୱର (କେନ୍ୟୁଜ): ଆଗରୁ ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସୁଥିଲା । ଏବେ ପିଆଜ କିଣିବା ବେଳକୁ ଗରିବା ଗୁରୁବାଙ୍କ ଆଖିରୁ ପାଣି ଆସିଯାଉଛି । ପଖାଳ କଂସାଏରେ ଲୁଣ ପିଆଜ କଥା ଭାବିଲେ ବି କଷ୍ଟ ଲାଗୁଛି । କିଲୋ ପିଛା ୫୦ ଛୁଇଁଲାଣି । ଟମାଟୋ , ଅଦା, ରସୁଣ ପରେ ଏବେ ବଢିଛି ପିଆଜ ଦର । ପୂର୍ବରୁ ଦର ୪୦ ଟଙ୍କା ରହିଥିବାବେଳେ ଥରକେ ୧୦ ଟଙ୍କା ବୃଦ୍ଧି ପାଇ ୫୦ରେ ପହଞ୍ଚିଛି । ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି ।

ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରର ମଣ୍ଡିଗୁଡିକରେ ସବୁଠାରୁ ଭଲ ମାନର ଥିବା ପିଆଜର ପାଇକାରୀ ମୂଲ୍ୟ କିଲୋ ପିଛା ୫୦ ଟଙ୍କା ଅତିକ୍ରମ କରିଗଲାଣି । ମହାରାଷ୍ଟ୍ରର ପିମ୍ପଲଗାଓଁ ମଣ୍ଡିରେ ପିଆଜ ମୂଲ୍ୟ କ୍ବିଣ୍ଟାଲ ପିଛା ରେକର୍ଡ ୨୫୦୦ରୁ ୫ହଜାର ୧୪ ଟଙ୍କା ରହିଛି । ଚଳିତ ମାସ ୩ତାରିଖରେ ସେଠାରେ ପିଆଜ ଦର କ୍ବିଣ୍ଟାଲ ପିଛା ୯୦୦ରୁ ୨୫୦୦ ଟଙ୍କା ରହିଥିଲା । ପିଆଜ ମୂଲ୍ୟ ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାରରେ ପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.