Below header

ଅନାଥ କରିଦେଲେ ଭଗବାନ, ମାସକ ଭିତରେ ପ୍ରଥମେ ମା ଓ ପରେ ବାପା ଚାଲିଗଲେ ଏ ତିନି ଶିଶୁଙ୍କ ଭବିଷ୍ୟତ କଣ ହେବ ?

ମାଲକାନଗିରି (କେନ୍ୟୁଜ୍‌) : ବେଳେ ବେଳେ ଲାଗେ ଭଗବାନ ବହୁତ ନିଷ୍ଠୁର ହୋଇ ଯାଉଛନ୍ତି । ଗରିବକୁ ବେଶି ଦୁଃଖ ଦେଉଛନ୍ତି । ହେଲେ କିଏ କେଉଁ ଭାଗ୍ୟ ନେଇ ଆସିଛି ତାହା କହିବା ମୁସ୍କିଲ । ଏମିତି ଏକ ଦୁର୍ଭାଗ୍ୟଜନକ ସ୍ଥିତିରେ ଅଛନ୍ତି ତିନି ଜଣ ଅନାଥ ପିଲା । ଯାହାଙ୍କର ନା ବାପା ଅଛି ନା ମା । ଦୁଃଖ ସାଗରରେ ଭସାଇ ଦୁଇଜଣ ଯାକ ଚାଲି ଯାଇଛନ୍ତି ଆରପାରିକୁ । କେହି ବି ସାହରା ନାହିଁ ।  ଏଇ କଅଁଳ ବୟସରେ ସମ୍ପୂର୍ଣ୍ଣ ଅନାଥ ହେବାର କଷ୍ଟ ସେମାନେ ବୁଝି ନାହାନ୍ତି । ନିରୀହ ମୁହଁରେ କେବଳ ଜଳ ଜଳ କରି ଚାହୁଁଛନ୍ତି । କଣ କରିବେ କଣ ନକରିବେ କିଛି ଜଣା ନାହିଁ ସେମାନଙ୍କୁ । ଏମାନଙ୍କ ସମ୍ପର୍କୀୟମାନେ ବି ସ୍ୱଚ୍ଛଳ ନୁହନ୍ତି । ତେଣୁ କେହି ବି ତିନି ତିନଟି ପିଲାଙ୍କୁ ସମ୍ଭାଳିବା ପାଇଁ ସମର୍ଥ ନୁହନ୍ତି ।

child2ଏଇ ମାସ ଭିତରେ ଉଭୟ ମା ଓ ବାପା ପରପାରିକୁ ଚାଲିଗଲେ । ପ୍ରଥମେ ମା ଗାଙ୍ଗି କୁରାମି ଅଜଣା ରୋଗରେ ଚାଲିଗଲେ । ଆଉ ବାପା ଏହି ପିଲାଙ୍କ ପାଇଁ ଏକମାତ୍ର ସାହାରା ଥିଲେ । ହେଲେ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବିଷଧର ସାପ କାମୁଡ଼ିଲା । ବାପା ସମା କୁରାମିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ସିନା ନିଆଗଲା ହେଲେ ଜୀବନ ବଞ୍ଚିଲାନି । ବାପା ମରିବାର ୧୦ ଦିନ ପରେ ପିଲାଙ୍କର ଏଭଳି ଅବସ୍ଥା । ବାପା ମା’ଙ୍କୁ ଝୁରି ହେଉଛନ୍ତି । କିଏ ମୁଠେ ଖାଇବାକୁ ଦେଲେ ପେଟରେ ଦାନା ପଡୁଛି । ବଡ଼ ପୁଅ ବିକୁକୁ ମାତ୍ର ୧୦ ବର୍ଷ ବୟସ । ସେ ଗାଁ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢେ। ଆଉ ଭଉଣୀ ମାଧୁରୀ ଓ ସାନଭାଇ ଇର୍ମା ଘରେ ରୁହନ୍ତି । ଏମାନଙ୍କ କଅଁଳ ଭବିଷ୍ୟତ ଏବେ ବିପଦରେ । ତେଣୁ ଗାଁ ଲୋକ ଓ ସମ୍ପର୍କୀୟମାନେ ଏଇ ଅନାଥ ପିଲା ତିନିଟିଙ୍କ ସ୍ଥାୟୀ ଥଇଥାନ ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ନିକଟରେ ଗୁହାରୀ କରିଛନ୍ତି । ନଚେତ ଅକାଳରେ ଝଡ଼ିଯିବେ ଏଇ ତିନିଟି ନିରୀହ ଫୁଲ ।

ଏ ନେଇ ଆମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ କଥା ହୋଇଥିଲୁ । ସେ ଅବଶ୍ୟ ପିଲାମାନଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ଓ ମାସିକ ସହାୟତା ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏଥିରେ ବିଳମ୍ବ ହେଲେ ବଡ଼ ସମସ୍ୟା ସୃଷ୍ଟି ହେବ । ତେଣୁ ଏଇ ତିନି ପିଲାଙ୍କ ତୁରନ୍ତ ଥଇଥାନ ନିହାତି ଆବଶ୍ୟକ ।

ଏମାନଙ୍କୁ ଯୋଗାଯୋଗ କରିବାର ଠିକଣା ହେଲା,

At-ଟିଟିବେରି
Po-ଚାଲାଣଗୁଡା
Ps/Dist-ମାଲକାନଗିରି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.