Below header

ମୋହନା : ପୁଣି ଜବତ ହେଲା ୨ କୁଇଣ୍ଟାଲ ଗଞ୍ଜେଇ, ଏତେ ପରେ ବି ବନ୍ଦ ହେଉନି ଚାଲାଣ

ମୋହନା, (କେ ନ୍ୟୁଜ୍‌) : ଲାଗୁଛି ଯେମିତି ଗଜପତି ଜିଲ୍ଲାରେ ସବୁଠୁ ଅଧିକ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଛି । ପ୍ରାୟତଃ ଦିନେ ଛାଡ଼ି ଦିନେ ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଛି । ଗଜପତି ଜ଼ିଲ୍ଲା ଅଡବା ପୋଲିସ ଆଜି ଭୋର ସମୟରେ ଜବତ କରିଛି ୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ । ଏହି ଘଟଣାରେ ଜଣେ ଗିରଫ ହୋଇଛି ।

ଭୋର ସମୟରେ ପାଟ୍ରୋଲିଙ୍ଗ କଲା ବେଳେ ପୋଲିସ୍ ୨ କୁଇଣ୍ଟାଲ ୩୯ କେଜି ଗଞ୍ଜେଇ ଜବତ କରିଥିଲା । ଏହା ସହିତ ଚାଲାଣକାରୀ କାମପଦର ଗ୍ରାମର ବସନ୍ତ ବୀରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଗୁଲୁବା ଅଞ୍ଚଳରେ ପାଟ୍ରୋଲିଙ୍ଗ କଲା ବେଳେ ଅଭିଯୁକ୍ତ ଜଣକ ଗାଲିମେରା ରାସ୍ତା କଡରେ ୧୦ଟି ପଲିଥିନ ବ୍ୟାଗ୍‌ରେ ଗଞ୍ଜେଇ ଭର୍ତ୍ତି କରି ବ୍ରହ୍ମପୁର ଚାଲାଣ ପାଇଁ ଗାଡିକୁ ଅପେକ୍ଷା କରିଥିଲା । ତେବେ ତା ପୂର୍ବରୁ ପହଞ୍ଚିଗଲା ପୋଲିସ୍ ।

ଜବତ ଗଞ୍ଜେଇର ବଜାର ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲାରେ ତପନ କୁମାର ପଟ୍ଟନାୟକ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଅବସ୍ଥାପିତ ହେବା ପରେ ଗତ ଏକ ସପ୍ତାହ ମଧ୍ୟରେ ଅଡବା ଏବଂ ମୋହନା ପୋଲିସ ପକ୍ଷରୁ ଘନଘନ ଚଢ଼ାଉ କରି ପ୍ରାୟ ୧ କୋଟି ଟଙ୍କାର ଗଞ୍ଜେଇ ଜବତ କରାଗଲାଣି । ଏହା ସହିତ ମାଫିଆମାନଙ୍କୁ ଗିରଫ ମଧ୍ୟ କରାଯାଇଛି ।

ତଥାପି ଏହି ଅଞ୍ଚଳରେ ରହି ଗଞ୍ଜେଇ ଚାଲାଣ କାରବାରକୁ ରାଜ୍ୟ ବାହାର ମାଫିଆଙ୍କ ଦ୍ୱାରା ପରିଚାଳିତ କରୁଥିବା ଆଞ୍ଚଳିକ ମାଫିଆମାନେ ପୋଲିସ ପଞ୍ଝାରେ ପଡି ପାରୁନାହାନ୍ତି । ଏମିତିକି ପୋଲିସ ନାମରେ ଧମକାଉଥିବା ଅଂଶୁ ନାମକ ଜଣେ ଯୁବକର ଅଡିଓ ଟେପ୍ ଭାଇରଲର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସ ସକ୍ରିୟ ହୋଇ ଉଠିଛି ସତ କିନ୍ତୁ ସଂପୃକ୍ତ ବ୍ୟକ୍ତିକୁ ଠାବ କରି ପାରିନାହିଁ । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.