ଭୋଟ୍‌ ଦେଉଛି ପଦ୍ମପୁର: ଆରମ୍ଭ ହେଲା ଭୋଟିଂ, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୫୭ହଜାର ୪୭୪ ମତଦାତା

ବରଗଡ଼ (କେନ୍ୟୁଜ): ଆଜି ପଦ୍ମପୁର ଭାଗ୍ୟ ପରୀକ୍ଷା । ଆଉ କିଛି ସମୟ ପରେ ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହେବ । ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ । ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୫୭ହଜାର ୪୭୪ ଭୋଟର୍‌ । ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୯ହଜାର ୪୯୭ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୭ହଜାର ୯୬୫ । ମତଦାନ ପାଇଁ ମୋଟ୍‌ ୩୧୯ଟି ବୁଥ୍‌ କରାଯାଇଛି ।

ସେଥିରୁ ୭୯ଟି ବୁଥ୍‌ ଅତି ସମ୍ବେଦନଶୀଳ । ୧୨୦ ବୁଥରେ େଓ୍ଵବ କାଷ୍ଟିଂ କରାଯିବ । ୬୬ଟି ବୁଥରେ ଲାଗିଛି ସିସିଟିଭି । ୧୫ଟି ମଡେଲ୍‌ ଓ ୬ଟି ପିଙ୍କ ବୁଥ୍‌ । ମତଦାନରେ ନିୟୋଜିତ ହୋଇଛନ୍ତି ମୋଟ୍‌ ୧୨ଶହ ୭୬ ପୋଲିଂ ଅଧିକାରୀ ଓ କର୍ମଚାରୀ । ୧୨ଟି ପରିଚୟପତ୍ରରୁ ଯେକୌଣସି ଗୋଟିଏ ଆଣି ନିଜ ମତାଧିକାରୀ ସାବ୍ୟସ୍ତ କରିପାରିବେ ଭୋଟର । ଆଜି ଅପରାହ୍‌ଣ ସାଢ଼େ ୪ଟା ଭିତରେ ଏକଜିଟ୍‌ ପୋଲ୍‌ କରିବା ଉପରେ କଟକଣା ଲାଗିଛି । ମୁକ୍ତ, ଅବାଧ ଓ ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମୁତୟନ ହୋଇଛନ୍ତି ୧୪ଶହ ୧୩ ପୋଲିସ କର୍ମଚାରୀ । ୯ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ଅଛନ୍ତି ।

୮ ତାରିଖରେ ଭୋଟ୍‌ ଗଣତି ପରେ ଜଣାପଡ଼ିବ ପଦ୍ମପୁର କାହାର ? ପଦ୍ମପୁରରେ ତ୍ରିମୁଖୀ ଲଢ଼େଇ ହେଉଛି । ବିଜେଡିର ବର୍ଷା ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କ ମଧ୍ୟରେ ମୁକାବିଲା ହେଉଛି । ବିଶେଷ କରି ବିଜେଡି ଓ ବିଜେପି ଭିତରେ କଡ଼ା ପ୍ରତିଯୋଗିତା ହେଉଛି । ଏହି ଉପନିର୍ବାଚନ ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ । ପୂର୍ବରୁ ପ୍ରଚାର ଲଢ଼େଇରେ ବିଜେଡି ଓ ବିଜେପି ଭିତରେ ଛକାପଞ୍ଝା ଦେଖିବାକୁ ମିଳିଥିଲା । ଜୋରଦାର ହୋଇଥିଲା ଆରୋପ ପ୍ରତ୍ୟାରୋପ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ଉପରେ ବ୍ୟକ୍ତଗତ ଆକ୍ଷେପକୁ ନେଇ ରାଜନୈତିକ ଉଷ୍ଣତା ବଢ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.