ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ, ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା
ଗାଁରେ ଯେଉଁ ନଳକୂପ ରହିଛି ସେଥିରୁ ଅଧା ଅଚଳ ହୋଇପଡିଥିବା ବେଳେ ଯେଉଁ କେତୋଟି ବାକି ରହିଛି ସେଥିରେ ଲାଲ୍ ପାଣି ବାହାରୁଛି । ସେହି ପାଣିକୁ ବ୍ୟବହାର କରିବା ପାଇଁ ନଳ କୂପରେ ଘଣ୍ଟା ଘଣ୍ଟା ଲାଇନ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ।

ଲୋକଙ୍କୁ ମିଳୁନି ପିଇବା ପାଣି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ବସୁଧା ଯୋଜନାରେ ଗାଁକୁ ପାଇପ୍ ପଡ଼ିଛି କିନ୍ତୁ ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ଏହା ବିଫଳ ହୋଇଛି । ଅବହେଳା ଯୋଗୁଁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବିଶୁଦ୍ଧ ପାନୀୟ ଜଳ । ରାତି ପାହିଲେ ଲୋକଙ୍କ ପାଣି ଚିନ୍ତା ବଢି ଯାଉଛି। ଗାଁରେ ଯେଉଁ ନଳକୂପ ରହିଛି ସେଥିରୁ ଅଧା ଅଚଳ ହୋଇପଡିଥିବା ବେଳେ ଯେଉଁ କେତୋଟି ବାକି ରହିଛି ସେଥିରେ ଲାଲ୍ ପାଣି ବାହାରୁଛି । ସେହି ପାଣିକୁ ବ୍ୟବହାର କରିବା ପାଇଁ ନଳ କୂପରେ ଘଣ୍ଟା ଘଣ୍ଟା ଲାଇନ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। ତେବେ ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନୂଆଗାଁ ଗାଁରେ ଦେଖିବାକୁ ମିଳିଛି ।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ନୂଆଗାଁ ଗ୍ରାମ । ଗାଁରେ ୫ଟି ସାହି ରହିଥିବାବେଳେ ପାଖାପାଖି ହଜାରେରୁ ଉର୍ଦ୍ଧ୍ବ ଲୋକ ଏଠାରେ ବସବାସ କରୁଛନ୍ତି । ଗାଁ ଠାରୁ ୩ କିଲୋମିଟର ଦୂରରେ ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଛି। ଗାଁରେ ଅଧା ପାଣି ପାଇପ୍ ମଧ୍ୟ ପଡ଼ିଛି । କିନ୍ତୁ ଗାଁ ଲୋକଙ୍କୁ ମିଳି ପାରୁନାହିଁ ବସୁଧା ଯୋଜନାରେ ପାଣି । ୫ ବର୍ଷ ପୂର୍ବେ ଗାଁରେ ଲାଗିଥିବା ପାଣି ପାଇପ୍ ଏବେ ଭାଙ୍ଗିରୁଜି ଯାଇଥିବା ବେଳେ ପାଣି ପାଇଁ ଲାଗିଥିବା ଅଧା ଷ୍ଟାଣ୍ଡପୋଷ୍ଟ ମଧ୍ୟ ଭାଙ୍ଗି ଗଲାଣି । ଯେଉଁ ଭଙ୍ଗା ଷ୍ଟାଣ୍ଡ ପୋଷ୍ଟ ରହିଛି ସେଠାରେ ଘଣ୍ଟା ଘଣ୍ଟା ଧରି ଜଗିଲେ ମଧ୍ୟ ପାଣି ଆସେନାହିଁ। ବର୍ଷ ତମାମ ଏଠାରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଗାଁରେ ଥିବା ଅଧିକାଂଶ ନଳକୂପ ସମ୍ପୁର୍ଣ୍ଣ ଅଚଳ ହୋଇପଡିଥିବା ବେଳେ ଯେଉଁ ଗୋଟିଏ ଦୁଇଟି ରହିଛି ସେଥିରେ ବହୁ କମ ପାଣି ବାହାରିବା ସହ ଲାଲ ଓ ଅପରିଷ୍କାର ପାଣି ଆସୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଗାଁର ବଡ ସାହିରେ ରୁହନ୍ତି ୫ ଶହରୁ ଉର୍ଦ୍ଧ୍ବ ଲୋକ । ସାହିରେ ରହିଛି ୩ ଟି ନଳକୂପ। ସେଥିରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବାବେଳେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୫୦ରୁ ଉର୍ଦ୍ଧ୍ବ ପରିବାର । ଗୋଟିଏ ନଳକୂପରେ ପିଇବା ପାଣି ସଂଗ୍ରହ କରିବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଖରା ଦିନେ ଏହି ସମସ୍ୟା ଦ୍ଵିଗୁଣିତ ହୋଇଯାଏ । ଜଳସ୍ତର ଖସିଯିବାରୁ ନଳକୂପରୁ କମ ପାଣି ବାହାରେ । ଯାହା ଫଳରେ ଲୋକେ ବାଧ୍ୟ ହୋଇ ନଳକୂପର ଲାଲ୍ ପାଣି ବ୍ୟବହାର କରନ୍ତି । ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇ ପାରୁ ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ପାଣି ସମସ୍ୟା ନେଇ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କିନ୍ତୁ ଏଯାଏଁ ଗାଁରେ କୌଣସି ପ୍ରକାର ସମସ୍ୟାକୁ ଦୃଷ୍ଟି ଦିଆଯାଇ ନାହିଁ ।
ଘଟଣା ସମ୍ପର୍କରେ ପାଟଣା ବିଡିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଦେଖାଯାଉ ଏ ଗାଁ ଲୋକଙ୍କ ପାଣି ସମସ୍ୟା କେବେ ଦୂର ହେଉଛି ।