Below header

ପ୍ଲାଷ୍ଟିକକୁ ନିଷିଦ୍ଧ କଲା ଜଙ୍ଗଲ ଓ ପରିବେଶ ବିଭାଗ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ଅକ୍ଟୋବର ୨ରୁ ରାଜ୍ୟର ୫ଟି ମହାନଗର ନିଗମ ଓ ପୁରୀରେ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିବ କଟକଣା । ଏହି ୫ଟି ମହନଗର ନିଗମ ହେଲା-ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା । ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୫ଟି ମହାନଗର ନିଗମ ଓ ପୁରୀରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ନିର୍ମାଣ, ବିକ୍ରୀ, ଆମଦାନୀ କିମ୍ବା ବିତରଣ କରିପାରିବେ ନାହିଁ । ସେହିପରି ୨ଶହ ମିଲିଗ୍ରାମରୁ କମ୍ ପାଣି ବୋତଲ ବିକ୍ରି ଉପରେ କଟକଣା ଲାଗିବ । ଭେଣ୍ଡରମାନେ ଦୁଗ୍ଧ, ଦୁଗ୍ଧଜାତ ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ଖାଇବା ତେଲ ପ୍ୟାକିଂ ପାଇଁ ୫୦ ମାଇକ୍ରନରୁ କମ୍ ମୋଟେଇର ପଲିଥିନ ସିଟ୍ ବ୍ୟବହାର କରିପାରିବେ ନାହିଁ ।

plastickଧାର୍ମିକ ଅନୁଷ୍ଠାନ, ହୋଟେଲ, କାଫେରେ ପ୍ଲାଷ୍ଟିକ ବ୍ୟବହାର ଉପରେ ବ୍ୟାନ ଲାଗିବ । ସଂପୃକ୍ତ ସଂସ୍ଥାଗୁଡ଼ିକ ନିଜ କ୍ୟାମ୍ପସରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ନିର୍ଦ୍ଦିଷ୍ଟ ଜାଗା ରଖିବେ । ସେହିପରି ପାଣି ବୋତଲ ଓ ମୃଦୁ ପାନୀୟ ବୋତଲ ନିର୍ମାତା କିମ୍ବା ଉତ୍ପାଦନକାରୀ ରିଟେଲ ସେଲ୍ସ ନେଟୱାର୍କ ମାଧ୍ୟମରେ ବ୍ୟବହାର ପରେ ବୋତଲ ଗୁଡ଼ିକ ସଂଗ୍ରହ କରିବେ ବୋଲି ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି । ମ୍ୟୁନିସିପାଲ କମିଶନ କିମ୍ବା କାର‌୍ୟ୍ୟ ନିର୍ବାହୀ ଅଧିକାରୀ ପ୍ଲାଷ୍ଟିକ ବ୍ୟାନ ସଂକ୍ରାନ୍ତ ନିର୍ଦ୍ଦେଶର କାର‌୍ୟ୍ୟକାରୀ ପାଇଁ ଆବଶ୍ୟକ ପଦକ୍ଷେପ ନେବେ । ଏଥିସହ ପ୍ଲାଷ୍ଟିକର ସଂଗ୍ରହ ଓ ରିସାକ୍ଲିଂ ପାଇଁ ନିଜ ଅଞ୍ଚଳରେ ବ୍ୟବସ୍ଥା କରିବାକୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

plastic 1ପ୍ଲାଷ୍ଟିକ କଟକଣା ସଂକ୍ରାନ୍ତ ନିୟମ ଉଲ୍ଲଂଘନ କରି ୫ଟି ମହାନଗର ନିଗମ ଓ ପୁରୀରେ ଯଦି କୌଣସି ଶିଳ୍ପ ସଂସ୍ଥା ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣ କରୁଥାଏ ତେବେ ତାକୁ ବନ୍ଦ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ରହିଛି । ଏବାବଦରେ ସେଣ୍ଟର ଫର ଏନଭାଇରନମେଣ୍ଟାଲ ଷ୍ଟଡିଜକୁ ଜନସଚେତନତା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଦୁଇବର୍ଷ ମଧ୍ୟରେ ସାରା ଓଡ଼ିଶା ସଂପୂର୍ଣ୍ଣ ପଲିଥିନ୍ମୁକ୍ତ ହେବ । ପ୍ରଥମ ପର‌୍ୟ୍ୟାୟରେ ଆସନ୍ତା ୨ ତାରିଖରୁ ରାଜ୍ୟର ୫ଟି ମହାନଗର ଓ ପୁରୀ ପୌରାଞ୍ଚଳରେ ଏନେଇ କଟକଣା ଲାଗୁ କରାଯିବ । ପରେ ଅନ୍ୟ ଅଞ୍ଚଳରେ ଏହା କାର‌୍ୟ୍ୟକାରୀ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.