କର୍ତ୍ତବ୍ୟନିଷ୍ଠ ସାଙ୍ଗକୁ ବିଭିନ୍ନ ସମୟରେ ମାନବିକତା ଓ ଅସହାୟର ସାଥୀ ପାଲଟୁଛି ପୋଲିସ,ଗୁଳିମାଡରେ ଆହତ ମାଓବାଦୀକୁ ଡାକ୍ତରଖାନାରେ ଭର୍ତ୍ତି କରି ସୃଷ୍ଟି କରିଛି ମାନବିକତାର ଉଦାହାରଣ

କେନ୍ୟୁଜ୍(ବ୍ୟୁରୋ):  ପୋଲିସର ମହାନତା । ଗୁଳି ବିନିମୟରେ ଆହତ ମାଓବାଦୀକୁ ଡାକ୍ତରଖାନାରେ ଭର୍ତ୍ତି କରି ଦେଇଛି ମାନବିକତାର ପରିଚୟ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ଜଙ୍ଗଲରେ ୨୬ ତାରିଖରେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । ଗୁଳିମାଡ଼ରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଥିଲା । ଆହତ ମାଓବାଦୀ ଲକ୍ଷ୍ମଣ ଗାଲୁରୀକୁ ଏସଓଜି ଧରିଥିବା ବେଳେ ଦୁର୍ଗମ ଅଞ୍ଚଳରେ ବଡ଼ କଷ୍ଟରେ ତାକୁ ୧୫୦ କିଲୋମିଟର ଦୂରରେ ଥିବା ଏକ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିପାଇଁ ପାହାଡ଼ ଜଙ୍ଗଲରେ କିଛି ବାଟ ଚାଲିବାକୁ, କିଛି ବାଟ ବାଇକରେ ତ ଆଉ କିଛି ରାସ୍ତା କାର୍‌ରେ ଯିବାକୁ ପଡ଼ିଥିଲା । ପୋଲିସକୁ ହତ୍ୟା ଉଦ୍ୟମ କରିଥିବା ଜଣେ ମାଓବାଦୀର ଜୀବନ ରକ୍ଷା ପାଇଁ ଦୟା ସହ ପୋଲିସ ପେଶାଦାର ମନୋଭାବ ଦେଖାଇଥିବାରୁ ଡିଜି ଅଭୟ ଟ୍ଵିଟ କରି ମାଲକାନଗିରି ଏସ୍‌ପି ଓ ଏସଓଜି ଟିମ୍‌ର ପ୍ରଶଂସା କରିଛନ୍ତି ।

ଏପଟେ ସାହସିକତା ଦେଖାଇ ପ୍ରଶଂସା ସାଉଁଟିଲେ OSAP ସିପାହୀ । ଭୁବନରେ ଏକ ବସ୍‌ରେ ଯୁବକଙ୍କ ହାତରୁ ପିସ୍ତଲ ଛଡ଼ାଇ ଆଣି ସାହସିକତାର ପରିଚୟ ଦେଇଥିବା ସିପାହୀ ହିମାଂଶୁ ଶେଖର ପାତ୍ରଙ୍କୁ ଡିଜିପି ଅଭୟଙ୍କ ତାରିଫ । କଫି ପିଇବା ପାଇଁ ତାଙ୍କୁ ଅଫିସକୁ ଆମନ୍ତ୍ରଣ କରିଛନ୍ତି । ଏଥିସହ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ଆଇଜି ଅପରେସନ୍‌ ଅମିତାଭ ଠାକୁର ମଧ୍ୟ ଓଏସଏପି ସିପାହୀ ହିମାଂଶୁଙ୍କୁ ସାହସିକତା ପାଇଁ ପ୍ରଶଂସା କରିଛନ୍ତି । ଗତକାଲି ସଂଧ୍ୟାରେ କଟକରୁ ଭୁବନ ଆସୁଥିବା ମଲ୍ଲିକ ବସ୍‌ ଡ୍ରାଇଭରଙ୍କ ସହ ବାଇକରେ ଯାଉଥିବା ୩ ଜଣ ଯୁବକଯୁବତୀଙ୍କ ବାରମ୍ବାର ଓଭରଟେକକୁ ନେଇ ପାଟିତୁଣ୍ଡ ହୋଇଥିଲା ।

ପରେ ଭୁବନ ଥାନା ନୀଳକଣ୍ଠପୁର ବ୍ରାହ୍ମଣୀ ବ୍ରିଜ ଉପରେ ସେମାନେ ବସ୍‌କୁ ଅଟକାଇ ଆକ୍ରମଣ କରିଥିଲେ । ଜଣେ ଯୁବକ ପିସ୍ତଲ ଧରି ବସ୍‌ ଭିତରେ ପଶି ଧମକଚମକ ଦେଇଥିଲା । ଏହି ସମୟରେ ବସ୍‌ରେ ଥିବା ଓଏସଏପି ସିପାହୀ ହିମାଂଶୁ ପାତ୍ର ସାହସିକତା ଦେଖାଇ ଯୁବକଙ୍କ ମୁକାବିଲା କରିବା ସହ ତା ହାତରୁ ପିସ୍ତଲ ଛଡ଼ାଇ ଆଣିିଥିଲେ । ହିମାଂଶୁଙ୍କ ଘର ଭୁବନ ଥାନା ଭୁଷଳରେ ବୋଲି ଜଣାପଡ଼ିଛି ।
କେବଳ ଏହି ଦୁଇଟି ଘଟଣା ନୁହେଁ, ବିଭିନ୍ନ ସମୟରେ ପୋଲିସ ନିଜର କର୍ତ୍ତବ୍ୟ ସଂପାଦନ ସହ ମାନବିକତା ଦେଖାଇ ପ୍ରଶଂସା ସାଉଁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.