Below header

ବନ୍ଦ କୋଠରୀରେ ପ୍ରିୟାନ୍ସୁର ଭବିଷ୍ଯତ, ବାହାରେ ବିଧବା ମା ଚାହିଁବସିଛି ସହାୟତାକୁ

ସୁବର୍ଣ୍ଣପୁର : ସବୁ ବାପା ମାଆଙ୍କ ଅନେକ ସ୍ୱପ୍ନ । ଘରେ ପୁଅଟିଏ ଜନ୍ମ ହେବ ଏବଂ ବୃଦ୍ଧକାଳେ ସେମାନଙ୍କୁ ସାହା ହେବ । ହେଲେ ପୁଅ ଜନ୍ମହୋଇ ବଡ ହେଲାପରେ ଯଦି ମାନସିକ ବିକୃତି ହୋଇଯାଏ ଏବଂ ତାକୁ ବନ୍ଦ କୋଠରୀରେ ରଖିବାକୁ ପଡେ ତାହେଲେ ବାପା ମାଆଙ୍କ ଦୁଃଖ କହିଲେ ନସରେ । ଏବେ ଏଭଳି ଅବସ୍ଥା ଦେଇ ଗତି କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଝରଣା ମହାକୁଡଙ୍କ।

ଝରଣା ମହାକୁରଙ୍କ ପୁଅ ପ୍ରିୟାନ୍ସୁ ମହାକୁଡ । ପ୍ରୀୟାନ୍ସୁକୁ ଏବେ ୨୦ ବର୍ଷ । ପୂର୍ବରୁ ସବୁ ଠିକ ଠାକ୍ ଥିଲା । ଉଲୁଣ୍ଡା ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲା ପ୍ରିୟାନ୍ସୁ । ସେହି ସମୟରେ ହଠାତ ପ୍ରୀୟାନ୍ସୁର ମାନସିକ ବିକୃତି ଘଟିଲା । ପରିବାର ଲୋକ ବୁର୍ଲାଠୁ ଆରମ୍ଭ କରି ଅନ୍ୟ ମେଡିକାଲରେ ଚିକିତ୍ସା ବି କରାଇଲେ । ହେଲେ ଭଲ ହେଲାନାହିଁ ପ୍ରୀୟାନ୍ସୁ । ଏହାରି ଭିତରେ ବିତିଗଲାଣି ପାଞ୍ଚବର୍ଷ । ଦିନକୁ ଦିନ ପ୍ରୀୟାନ୍ସୁର ପାଗଳାମୀ ବଢୁଛି ସିନା କମିବାର ନାଁ ଧରୁନାହିଁ । ଏଣୁ ପରିବାର ଲୋକ ପ୍ରୀୟାନ୍ସୁକୁ ଆୟତ କରିନପାରି ଏକ ବନ୍ଦ କୋଠରୀରେ ରଖିବାକୁ ବାଧ୍ୟ ହୋଇଛନ୍ତି ।

ପ୍ରୀୟାନ୍ସୁଙ୍କ ବାପା ଅନେକ ଦିନରୁ ଆରପାରିକୁ ଚାଲିଗଲେଣି । ବିଧବା ମାଁଙ୍କ ବାର୍ଦ୍ଧକ୍ୟ ଭତ୍ତା ଏବଂ ରାସନ କାର୍ଡରେ ମିଳୁଥିବା ଚାଉଳରେ ପରିବାର କଷ୍ଟେମଷ୍ଟେ ଚଳିଯାଉଛି । କିନ୍ତୁ ପୁଅର  ଚିକିତ୍ସା ପାଇଁ ସେ ଅଧିକ ଟଙ୍କା ଯୋଗାଡ କରିପାରୁ ନାହଁନ୍ତି । ଏପଟେ ଟଙ୍କା ଅଭାବରୁ ଯୁକ୍ତ ତିନିରେ ପାଠ ପଢୁଥିବା ଝିଅର ପାଠପଢାରେ ବି ଡୋରୀ ବନ୍ଧା ପଡିଛି । ଏଣୁ ସରକାରୀ କିମ୍ବା ବେସରକାରୀ ଭାବେ ସହଯୋଗ ମିଳିଳେ ପ୍ରୀୟାନ୍ସୁକୁ ଭଲ କରିବାର ଆଶା ବାନ୍ଧିଛନ୍ତି ପରିବାର ଲୋକ । ସେପଟେ ଏନେଇ ଜାଣିଲା ପରେ ସରକାରୀ ବିଧି ବ୍ୟବସ୍ଥା ଭିତରେ ପ୍ରୀୟାନ୍ସୁର ଚିକିତ୍ସା କରାଇବେବୋଲି କହିଛନ୍ତି ଉଲୁଣ୍ଡା ବିଡିଓ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.