Below header

ବଢୁଛି H3N2 ଭାଇରସ ଚିନ୍ତା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଥଣ୍ଡା ବା କାଶ ହେଲେ କରାନ୍ତୁ କୋଭିଡ୍ ଟେଷ୍ଟ

H3N2 ଲକ୍ଷଣ ଥିଲେ ଆଇସୋଲେଟ୍‌ରେ ରହିବା ସହ ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଜରୁରୀ । ଭିଡ଼କୁ ଗଲେ ମାସ୍କ ପିନ୍ଧିବା ଆବଶ୍ୟକ। କାଶିବା ଓ ଛିଙ୍କିବା ସମୟରେ ମୁହଁ ଓ ନାକକୁ ଘୋଡ଼ାଇ ରଖିବା ଦରକାର ବୋଲି ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଦେଶରେ ବଢୁଛି H3N2 ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ । ସଂକ୍ରମିତଙ୍କଠାରେ ଦେଖାଯାଉଛି ଫ୍ଲୁ ଭଳି ଲକ୍ଷଣ । ୫ରୁ ୭ଦିନ ଯାଏ ଲାଗିରହୁଛି ଜ୍ୱର, ଥଣ୍ଡା ଓ କାଶ । ଏଭଳି ଲକ୍ଷଣ ଦେଖାଗଲେ କୋଭିଡ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ । ଏନେଇ ସବୁ ଜିଲ୍ଲାର ସିଡିଏମ୍‌ଓ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଲେଖିଛି ଜନସ୍ୱାସ୍ଥ୍ୟ ବିଭାଗ। ଫ୍ଲୁ ଆଳରେ କୋଭିଡ ସଂକ୍ରମଣ ବଢିପାରେ ବୋଲି ଆଶଙ୍କା କରାଯାଇଛି । ଫିଭର କ୍ଲିନିକକୁ ଚାଲୁ କରିବା ସହ ପର୍ଯ୍ୟାପ୍ତ ପରିମାଣର ଔଷଧ, ମେଡିକାଲ ସାମଗ୍ରୀ ଓ ମେଡିକାଲ ଅକ୍ସିଜେନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇନଫ୍ଲୁଏଞ୍ଜାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଜ୍ୱର, କାଶ କିଛି ଦିନ ଲାଗି ରହିବା ପରେ ଆପେ ଭଲ ହୋଇପାରେ ।

ତେବେ ଗୁରୁତର ହୋଇ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି କିଡ୍‌ନୀ, ହାର୍ଟ ଓ ଶ୍ୱାସ ରୋଗୀ । ଲକ୍ଷଣ ଥିଲେ ଆଇସୋଲେଟ୍‌ରେ ରହିବା ସହ ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଜରୁରୀ । ଜ୍ୱର, ଥଣ୍ଡା ନକମିଲେ ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ଲକ୍ଷଣ ଦେଖାଗଲେ କିମ୍ବା ଭିଡ଼କୁ ଗଲେ ମାସ୍କ ପିନ୍ଧିବା ଆବଶ୍ୟକ। କାଶିବା ଓ ଛିଙ୍କିବା ସମୟରେ ମୁହଁ ଓ ନାକକୁ ଘୋଡ଼ାଇ ରଖିବା ଦରକାର । ହାତ ମିଶାଇବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଅନୁଚିତ । ଜ୍ୱର, ଥଣ୍ଡା, କାଶ ଥିଲେ ପର୍ଯ୍ୟାପ୍ତ ପରିମାଣର ପାଣି ସହ ଜଳୀୟପଦାର୍ଥ ପିଇବା ଆବଶ୍ୟକ । ଓଡ଼ିଶାରେ ଗତ ଦୁଇ ମାସରେ ୫୯ ଇନଫ୍ଲୁଏଞ୍ଜା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.