ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ, ଆଜି ଭାଙ୍ଗାଯାଉଛି ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସର

ପୁରୀ(କେନ୍ୟୁଜ୍): ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ । ମୁନିସିପାଲିଟି ମାର୍କେଟ୍ ଭଙ୍ଗା ଯିବା ପରେ ଏବେ ପାଳି ପଡ଼ିଛି ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସର । ୧୯୬୮ରେ ପୌରସଂସ୍ଥା ଦ୍ୱାରା ନିର୍ମିତ ଏହି ମାର୍କେଟ୍ କମ୍ପ୍ଲେକ୍ସଟି ୨ ବର୍ଷ ତଳୁ ବିପଦ ସଙ୍କୁଳ ଘୋଷିତ ହୋଇଥିଲା । ଗତ ଅକ୍ଟୋବର ୪ ତାରିଖ ସୁଦ୍ଧା ସମସ୍ତ ଦୋକାନ ଖାଲି କରିବାକୁ ପୌର ସଂସ୍ଥା ନିର୍ଦ୍ଦେଶ ଦେଇଥିଲା । ଗତ ସପ୍ତାହରେ ମୁନିସିପିଲିଟି ମାର୍କେଟ୍ ଉଚ୍ଛେଦ ପରେ ଆଜି ପ୍ରାୟ ୫୦ ବର୍ଷ ତଳର ଏହି ପୁରାତନ ମାର୍କେଟ୍‌କୁ ଭାଙ୍ଗିବା କାମ ଆରମ୍ଭ ହୋଇଛି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ଦାଶ ଓ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସହ ପୋଲିସ ଉପସ୍ଥିତିରେ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଏହି ମାର୍କେଟ୍‌ରେ ଥିବା ୫୮ଟି ଦୋକାନ ଘରକୁ ପର୍ଯ୍ୟାୟ କ୍ରମେ ଭଙ୍ଗାଯିବ । ମୋଚିସାହି ଛକରେ ଥିବା ଏହି ମାର୍କେଟ୍‌ର ଗୋଟିଏ ଅଂଶରେ ପୁରୀ ସମବାୟ ବିଭାଗ ଦ୍ୱାରା ପରିଚାଳିତ ‘ସହଯୋଗ’ ଷ୍ଟେର ଦୀର୍ଘ ବର୍ଷ ବର୍ଷ ଧରି ଚାଲି ଆସୁଥିଲା । ଏଠାରେ ବିସ୍ଥାପିତ ହେଉଥିବା ଦୋକାନୀମାନେ ଏହି ଉଚ୍ଛେଦ ଅଭିଯାନରେ ସହଯୋଗ କରୁଛନ୍ତି । ଉଚ୍ଛେଦ ପରେ ଏଠାରେ ଏକ ବହୁତଳ ମାର୍କେଟ୍ କମ୍ପ୍ଲେକ୍ସ ସ୍ଥାପନ କରାଯାଇ ଦୋକାନୀମାନଙ୍କୁ ଥଇଥାନ କରାଯିବ ବୋଲି ପୌରସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଉଚ୍ଛେଦ ଅଭିଯାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.