ସୁପ୍ରିମ୍ ଝଟ୍କା: ପରିକ୍ରମା ପ୍ରକଳ୍ପ କାମ ଉପରେ ରହିତାଦେଶ ଦେଲେନାହିଁ ସୁପ୍ରିମକୋର୍ଟ, ଉଭୟ ପିଟିସନରଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା
ପୁରୀ(କେନ୍ୟୁଜ୍): ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ମାମଲା ପ୍ରସଙ୍ଗ, ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ । ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ଲାଗିଲା ସୁପ୍ରିମ୍ ଝଟ୍କା। କାର୍ଯ୍ୟ ଉପରେ ରହିତାଦେଶ ଦେଲେନାହିଁ କୋର୍ଟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ଆସିଲା ରାୟ। ମେ’ ୯ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ହୋଇଥିଲା ଚ୍ୟାଲେଞ୍ଜ।
ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କାମ ଚାଲିଥିବାରୁ ମାମଲାକୁ ରଦ୍ଦ କରାଯାଇଛି। ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା ଲଗାଯାଇଛି। କୋର୍ଟଙ୍କ ବହୁ ମୂଲ୍ୟ ସମୟ ନଷ୍ଟ ହୋଇଥିବାରୁ ଉଭୟ ପକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ପ୍ରସଙ୍ଗକୁ ନେଇ ଜଷ୍ଟିସ୍ ବି.ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଗତକାଲି ମାମଲାର ଶୁଣାଣି କରିଥିଲେ। ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ। ଏହାସହ ରାୟ ସଂରକ୍ଷିତ ରଖିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଏହି ଶୁଣାଣି ହୋଇଥିଲା। ଓଡ଼ିଶା ହାଇକୋର୍ଟଙ୍କ ମେ ୯, ୨୦୨୨ ଆଦେଶ ବିରୋଧରେ ଏହି ଦୁଇ ପିଟିସନ୍ ଦାୟର ହୋଇଥିଲା।