ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର(କେନ୍ୟୁଜ୍) : ଖ୍ୟାତନାମା ଚଳଚିତ୍ର ସଂପାଦକ ରବି ପଟ୍ଟନାୟକଙ୍କ ପରଲୋକ। ୭୫ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କର ପରଲୋକ ହୋଇଛି। ଜାତୀୟ ତଥା ଆଞ୍ଚଳିକ ସ୍ତରରେ ଶତାଧିକ ଚଳଚ୍ଚିତ୍ରରେ ଚିତ୍ର ସଂପାଦନା କରି ନିଜର ବଳିଷ୍ଠ ଛାପ ଛାଡ଼ିଥିଲେ। ଓଡ଼ିଆ ସିନେମାକୁ ତାଙ୍କ ଅବଦାନ ପାଇଁ ୨୦୧୭ରେ ତାଙ୍କୁ ସମ୍ମାନଜନକ ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୧୫ରେ ସେ ଚିନ୍ତା ଓ ଚେତନା ନ୍ୟାସନାଲ ପୁରସ୍କାର ଲାଭ କରିଥିଲେ।

ଲୋକପ୍ରିୟ ଚଳଚିତ୍ର ‘କଥାନ୍ତର’ ଓ ‘ଚିନି’ ଚଳଚ୍ଚିତ୍ରର ସମ୍ପାଦକ ଥିଲେ ରବି ପଟ୍ଟନାୟକ। ମୁମ୍ବାଇର ବଲିଉଡରୁ କ୍ୟାରିଅର ଆରମ୍ଭ କରିଥିଲେ। ୨୭ ଡାଉନ୍‌, ଦ୍ୱିବିଧା, ଚଲତେ ଚଲତେ, ଆପ କି ଖାତିର, କିସମତ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ସମ୍ପାଦନା କରି ଲୋକାଦୃତ ହୋଇଥିଲେ। ପରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ଚିତ୍ର ସଂପାଦନା ଦାୟିତ୍ୱ ତୁଲାଇଥିଲେ। ୧୯୭୭ରେ ଅଭିମାନ ଚଳଚିତ୍ରରୁ ଆରମ୍ଭ ହୋଇଥିଲା ଯାତ୍ରା। ପରେ ଦଣ୍ଡା ବାଳୁଙ୍ଗା, ସୁନା ଚଢେଇ, ଯାହାକୁ ରଖିବେ ଅନନ୍ତ ଭଳି, ସହର ଜଳୁଛି, ତତେ ଭଲପାଏ ବୋଲି ଚଳଚ୍ଚିତ୍ରରେ ଚିତ୍ର ସଂପାଦନା କରିଥିଲେ।

ରବି ପଟ୍ଟନାୟକଙ୍କ ଦେହାନ୍ତରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ତାଙ୍କ ସଂପାଦନା ତାଙ୍କୁ ଅମର କରି ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ସଂପାଦକ ଡ. ଇତି ସାମନ୍ତ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.