୨୪ ଘଣ୍ଟା ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା,ସାରା ରାଜ୍ୟରେ ହେବ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହେବ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ । ୧୪ ତାରିଖ ଯାଏ ବର୍ଷିବ । ତେବେ ୧୨ ଓ ୧୩ ତାରିଖରେ ସର୍ବାଧିକ ପ୍ରଭାବ ରହିବ । ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ସମ୍ଭାବନା ଥିବା ଗଜପତି, ଗଂଜାମ, ମାଲକାନଗିରି, କୋରାପୁଟ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ତାରିଖରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଗଂଜାମ, ନୟାଗଡ଼, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ । ଏହି ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଲଘୁଚାପ ବର୍ଷା ପାଇଁ ଏସଆରସିଙ୍କ ପକ୍ଷରୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ, ଜଳ ନିଷ୍କାସନ ଓ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଜନିତ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ସେହିପରି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ସମୁଦ୍ର ଅଶାନ୍ତ ରହୁଥିବାରୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ୧୧ ତାରିଖ ରାତି ସୁଦ୍ଧା ଉପକୂଳକୁ ଫେରିଆସିବାକୁ ସତର୍କ କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.