ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍): ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଗୋଟିଏ ଘୂର୍ଣ୍ଣିବଳୟ ମ୍ୟାନମାର ଉପରେ ଅବସ୍ଥିତ ରହିଛି । ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତରପୂର୍ବ ଓ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା । ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରବଳ ବର୍ଷା ନେଇ ଆଜି ୧୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି । ୪ ଓ ୫ ତାରିଖରେ ଅଧିକ ବର୍ଷା ସମ୍ଭାବନା ରହିଛି । ଏହି ଦୁଇ ଦିନ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ । ୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଅର୍ଥାତ ୧୩-୧୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି ।

ଅକ୍ଚୋବର ମାସ ଆସିଲେ ରାଜ୍ୟବାସୀଙ୍କ ମଧ୍ୟରେ ବାତ୍ୟାକୁ ନେଇ ଛନକା ପଶେ । ତେବେ ଅକ୍ଚୋବର ୧୫ ତାରିଖ ଯାଏ ବାତ୍ୟାର କୌଣସି ଆଶଙ୍କା ନଥିବା କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଆସନ୍ତା ୧୫ ତାରିଖ ଯାଏ ଡିପ୍ରେସନ କିମ୍ବା ବାତ୍ୟାର କୌଣସି ଆଶଙ୍କା ନାହିଁ । ଏହାକୁ ନେଇ ରାଜ୍ୟବାସୀ ଆତଙ୍କିତ ହେବା ଉଚିତ ନୁହେଁ । ତେବେ ଅକ୍ଚୋବର ଓ ନଭେମ୍ବର ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.