Below header

ପରୀକ୍ଷା ଫି ଛାଡ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରାଜଧାନୀ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): କରୋନା କାଳରେ ଲୋକମାନଙ୍କ ଆର୍ଥିକ ସ୍ଥିତି ଅସଜଡ଼ା ହୋଇ ପଡିଥିବା ବେଳେ ଛାତ୍ରଛାତ୍ରୀଙ୍କର ଶିକ୍ଷାବର୍ଷ ନଷ୍ଟ ନହେବା ନେଇ ଚିନ୍ତା ପ୍ରକଟ କରିଥିଲେ ରାଜ୍ୟ ସରକାର। ସବୁ ବାଧାବିଘ୍ନକୁ ନଜରରେ ରଖି ମଇ ମାସରେ ପିଲାମାନଙ୍କ ମାଟ୍ରିକ ପରୀକ୍ଷା କରିବା  ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯେହେତୁ କରୋନା ଲୋକମାନଙ୍କ ଠାରୁ ରୋଜଗାର ଛଡାଇ ନେଇଛି ତେଣୁ ଅନେକ ଗରିବ ଛାତ୍ରଛାତ୍ରୀ ଏହି ମାଟ୍ରିକ ପରୀକ୍ଷା ଫି ଦେବାକୁ ସକ୍ଷମ ହୋଇପାରିନଥାନ୍ତେ। ତେଣୁ ରାଜ୍ୟର ଅଗଣିତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି  ମାଟ୍ରିକ ପରୀକ୍ଷା ଫି ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହି ପରୀକ୍ଷା ଫି ଛାଡ କରିବା  ପାଇଁ ପୂର୍ବରୁ ବିଜେଡିର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାଟ୍ରିକ ପରୀକ୍ଷା ଫି ଛାଡ କରିବାକୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ  ଆଜି ରାଜଧାନୀ କଲେଜ ଛାତ୍ର ଛାତ୍ରୀମାନଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଛାତ୍ର ବିଜେଡିର ଯୁଗ୍ମ ସମ୍ପାଦକ ଅସୀମ ମହାନ୍ତିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଆଜି କଲେଜ ସମ୍ମୁଖରେ ସମବେତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି ।

ଛାତ୍ର ଛାତ୍ରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ସବୁ ବେଳେ କହି ଆସିଛନ୍ତି ଯେ ଓଡିଶା ତାଙ୍କର ପରିବାର । କରୋନା ସମୟରେ ରାଜ୍ୟବାସୀଙ୍କ ସୁରକ୍ଷିତ ରଖିବା ପାଇଁ କରୋନା ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସୁବ୍ୟବସ୍ଥା କରାଇବା ସହ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ  ଭିନ୍ନ ଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି।  କରୋନାରେ ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ଓଡିଶା ମଧ୍ୟ ଏଥିରୁ ବାଦ ପଡିନି।  ଓଡିଶାବାସୀଙ୍କ ବାସ୍ତବ ଆର୍ଥିକ ସ୍ଥିତିକୁ ହୃଦୟଙ୍ଗମ କରି  ପରିବାରର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ପରୀକ୍ଷା ଫି ଛାଡ ପାଇଁ ନେଇଥିବା ଠିକଣା ଐତିହାସିକ ନିଷ୍ପତ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଆଶ୍ବସ୍ତି ଆଣିଦେଇଛି।

ଏଭଳି ପଦକ୍ଷେପ ପ୍ରମାଣିତ କରିଦେଇଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ  ଓଡ଼ିଆଙ୍କ ପ୍ରକୁତ ସୁଖ ଦୁଃଖର ସାଥି ଓ ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦୟର ନେତା ବୋଲି  କହିଛନ୍ତି ରାଜଧାନୀ କଲେଜ ଛାତ୍ରଛାତ୍ରୀ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ରନେତା ପ୍ରତ୍ୟୁଷ ଭଞ୍ଜ, ଶଶୀକାନ୍ତ ପାଣ୍ଡେ, ସାହିଦ ଆଫ୍ରିଦି, ତୋଫାନ ସାହୁ, ସ୍ଵାତି ଶ୍ୱେତପଦମା, ସସ୍ମିତା ପତି, ଅନ୍ଵେଷା ମହାପାତ୍ରଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.