Below header

ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଛାତ ଉପରୁ ଡେଇଁ ପଡ଼ିଲା ନାବାଳିକା, ଗୁରୁତର ଆହତ

ଯାଜପୁର ରୋଡ଼ (କେନ୍ୟୁଜ୍‌) : ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ଜୀବନକୁ ବାଜି ଲଗାଇ ଦେଲା ନାବାଳିକା । ଛାତରୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଛି । ଆହତ ନାବାଳିକାର କଳିଙ୍ଗ ନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏପଟେ ୫ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି କଳିଙ୍ଗନଗର ପୋଲିସ ପଚରା ଉଚରା କରୁଛି ।

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଝୁମ୍ପାଣ ଗାଁରେ ଘଟିଛି ଏହି ଘଟଣା । ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଦୁଇ ଆଦିବାସୀ ଭାଇ ଭଉଣୀ ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ରହୁଥିବା ନିଜ ଭଉଣୀ ଘରକୁ ଯାଉଥିଲେ। ଗତକାଲି ଅପରାହ୍ନରେ ଏମାନେ ଡ଼ୁବୁରୀ ଛକରେ ପହଞ୍ଚି ଥିଲେ। ସେଠାରୁ କାଳିଆପାଣି ଯିବାକୁ କୌଣସି ଗାଡ଼ି ନମିଳିବାରୁ ଉଭୟେ ଚାଲି ଚାଲି ଯାଉଥିଲେ। କିଛି ବାଟ ଯିବାପରେ ସନ୍ଧ୍ୟା ହୋଇ ଯିବାରୁ ଝୁମ୍ପାଣ ନିକଟରେ ରାସ୍ତା କଡ଼ରେ ଥିବା ଏକ ଯାତ୍ରୀ ବିଶ୍ରାମଗାରରେ ସେମାନେ ବସିଥିଲେ। ଏହି ସମୟରେ କେତେଜଣ ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ପଚରା ଉଚରା କରିବା ସହ ନିକଟରେ ଥିବା ଝୁମ୍ପାଣ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେବାକୁ କହିଥିଲେ।

ତେବେ ଭାଇ ଭଉଣୀ ଉଭୟେ ସେଠାରେ ରହିଥିବା ବେଳେ ବିଳମ୍ବିତ ରାତିରେ କିଛି ଲୋକ ଆସି ନାବାଳକ ଭାଇକୁ ମାଡ଼ ମାରି ସେଠାରୁ ତଡ଼ି ଦେଇଥିଲେ । ଆଉ ନାବାଳିକା ଭଉଣୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ନାବାଳକ ଭାଇ ଦୌଡ଼ି ଯାଇ ଗାଁ ଲୋକଙ୍କୁ ଡାକି ଦେଇଥିଲା । ତେବେ ସେହି ସମୟ ଭିତରେ ନାବାଳିକା ଜଣକ ନିଜକୁ ଦୁର୍ବୃତ୍ତମାନଙ୍କ ଠାରୁ ବଞ୍ଚାଇବା ପାଇଁ ଛାତରୁ ତଳକୁ ଡେ଼ଇଁ ସେଠାରୁ ଖସି ପଳାଇ ଥିଲା। ପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲା । ଆହତ ଝିଅଟିକୁ ପୋଲିସ୍‌ ନିକଟସ୍ଥ ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଏଥି ସହିତ ନାବାଳକ ଭାଇକୁ ନିଜ ହେପାଜତରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ଛାନଭିନ୍ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.