ଘର୍ ଘର୍ ନାଦରେ ବଡ଼ଦାଣ୍ଡରେ ଗଡିବ ରଥ, ସୁପ୍ରିମକୋର୍ଟଙ୍କ ସର୍ତ୍ତକୁ କରାଯିବ ପାଳନ

କେନ୍ୟୁଜ୍(ବ୍ୟୁରୋ):  ରଥଯାତ୍ରା ପାଇଁ ମିଳିଲା  ଗ୍ରୀନ ସିଗନାଲ୍। ଆସନ୍ତା କାଲି ବଡଦାଣ୍ଡରେ ଘର୍ ଘର୍ ନାଦରେ ଗଡିବ ତିନି ରଥ। ତିନି ଦିନ ତଳେ  ସୁପ୍ରିମକୋର୍ଟ ଦ୍ବାରା ରୋକ ଲଗାଯାଇଥିବା ରଥଯାତ୍ରାକୁ ଆଜି ସେହି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପିଠ  ଗ୍ରୀନ ସିଗନାଲ  ଦେଇଛନ୍ତି। ତେବେ ଏକାଧିକ ସର୍ତ୍ତ ରଖି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। କେବଳ  ପୁରୀରେ ହିଁ ରଥଯାତ୍ରା  ପାଇଁ ସୁପ୍ରିମକୋର୍ଟ ତରଫରୁ ଅନୁମତି ମିଳିଛି।  ଶ୍ରୀମନ୍ଦିର ପରିଚାଳନା କମିଟି, ରାଜ୍ୟ, କେନ୍ଦ୍ର ସମନ୍ୱୟରେ ରଥଯାତ୍ରା ହେବ ବୋଲି କହିଛନ୍ତି।

ପୁରୀରେ ଗଡ଼ିବ ରଥ । ସେପଟେ ଏଥିପାଇଁ ପୁରୀ ଜିଲ୍ଲାରେ ଆଜି ରାତି ୯ଟାରୁ ବୁଧବାର ଅର୍ଥାତ୍‌ ୨୪ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିବ । ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇବେ ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ନେଇ ସୁପ୍ରିମକୋର୍ଟରୁ ଆସିଲା ସବୁଠୁ ବଡ଼ ଖବର । ଘୋଷଯାତ୍ରାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀକ୍ଷେତ୍ରରେ ରଥଯାତ୍ରା କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । କିନ୍ତୁ ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାକୁ ନା କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ,କେନ୍ଦ୍ର,ମନ୍ଦିର କମିଟି ସମନ୍ଵୟରେ ରଥଯାତ୍ରା ହେବ ।

କେବଳ କୋଭିଡ ନେଗେଟିଭ୍‌ ସେବାୟତ ହିଁ ସାମିଲ ହେବେ । ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଭୋର ୩ଟାରେ ମଙ୍ଗଳ ଆଳତୀ, ୩ଟା୧୫ରେ ମଇଲମ। ଭୋର ୩ଟା ୩୦ରେ ତଡ଼ପ ଲାଗି,୪ଟାରେ ରୋଷହୋମ। ୪ଟା ୩୦ରେ ଅବକାଶ, ୪ଟା ୪୫ରେ ସୂର୍ଯ୍ୟ ପୂଜା। ୫ଟାରେ ଦ୍ୱାରପାଳ ପୂଜା ତାପରେ ବେଶ ଶେଷ। ୫ଟା ୩୦ରୁ ୬ଟା ୪୫ ଗୋପାଳ ବଲ୍ଲଭ ଓ ସକାଳ ଧୂପ। ୬ଟା ୪୫ରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ। ସକାଳ ୭ଟାରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇ ଦିନ ୧୦ଟାରେ ଶେଷ ହେବ। ଅନ୍ୟପକ୍ଷରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆରମ୍ଭ ହୋଇଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା ଚାଲିଛି ।

ରଥଯାତ୍ରା ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ଆଜି ସୁପ୍ରିମ୍‌ କୋର୍ଟରେ ହୋଇଥିଲା। ରଥଯାତ୍ରା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ସମ୍ମତି ପରେ ୩ ଜଣିଆ ଖଣ୍ଡପୀଠକୁ ଗଲା ପୁରୀ ରଥଯାତ୍ରା ମାମଲା, ମାମଲାର ଶୁଣାଣି ପାଇଁ ସମ୍ମତି ପ୍ରକାଶ କଲେ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍. ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ(ଦିନେଶ ମାହେଶ୍ୱରୀ, ଏ.ଏସ୍ ବୋପାନ୍ନା) ଏହି ମାମଲାର ଶୁଣାଣି କରିଥିଲେ।

ଆଜିର ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବା ପୂର୍ବରୁ ଜଷ୍ଟିସ ଅରୁଣ ମିଶ୍ରଙ୍କ ବେଞ୍ଚର ପୁନର୍ବିଚାର ମାମଲ ମେନସନ୍‌ ହୋଇଥିଲା । ପୁରୀରେ ବିନା ଭକ୍ତରେ ରଥଯାତ୍ରା ପାଇଁ କେନ୍ଦ୍ର ସରକାର ସମର୍ଥନ ଜଣାଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଜ୍‌ ତୁଷାର ମେହେଟ୍ଟା କହିଥିଲେ, ବର୍ଷ ବର୍ଷର ପରମ୍ପରାକୁ ବନ୍ଦ କରା ନଯାଉ । ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା ସହ ଜଡ଼ିତ । ପରମ୍ପରା ଅନୁସାରେ, କାଲି ପ୍ରଭୁ ଯଦି ବାହାରକୁ ନ ବାହାରିବେ ତେବେ ଆଉ ୧୨ ବର୍ଷ ପାଇଁ ବାହାରିବେ ନାହିଁ । ତେଣୁ ସମ୍ପୂର୍ଣ୍ଣ ରଥଯାତ୍ରାର ସିଧା ପ୍ରସାରଣ କରାଯାଇ ପାରିବ ।

ରାଜ୍ୟ ସରକାର ବି ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ପ୍ରତିଷେଧମୂଳକ ପଦକ୍ଷେପ ସହ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ । କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ଗୋଟିଏ ଦିନ କର୍ଫ୍ୟୁ କରିବେ । କୋଭିଡ୍‌ ଟେଷ୍ଟରେ ନେଗେଟିଭ୍‌ ବାହାରିଥିବା ସମସ୍ତ ସେବାୟତ ମହାପ୍ରଭୁଙ୍କ ନୀତିକାନ୍ତିରେ ନିୟୋଜିତ ରହିବେ । ଲୋକଙ୍କ ସମାଗମ ହେବ ନାହିଁ । ସମସ୍ତେ ଟିଭିରେ ରଥଯାତ୍ରାର ସିଧାପ୍ରସାରଣ ଦେଖିବେ । ସମସ୍ତ ରୀତିନୀତିର ତଦାରଖ କରିବେ ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.