ରାମମନ୍ଦିର ନିକଟ ଖାଓ ଗଳିରେ କଟକଣା ଜାରି, ବିଏମ୍‌ସି ପକ୍ଷରୁ ଲାଗିଲା ‘ନୋ ଭେଣ୍ଡିଂ ଜୋନ୍‌’ ସାଇନ୍‌ ବୋର୍ଡ

ଭୁବନେଶ୍ବର(କେନ୍ୟୁଜ୍) : ରାମମନ୍ଦିର ନିକଟ ଖାଓ ଗଳିରେ ବିଏମ୍‌ସି ପକ୍ଷରୁ ପୁଣି କଟକଣା ଜାରି । ଏଠାରେ ଲାଇସେନ୍ସପ୍ରାପ୍ତ ଦୋକାନୀଙ୍କ ବ୍ୟତୀତ ଏକାଧିକ ବ୍ୟବସାୟୀ ବିନା ଲାଇସେନ୍ସରେ ବସି ବ୍ୟବସାୟ କରୁଥିବାରୁ ବିଏମ୍‌ସି ଏଠାରେ ‘ନୋ ଭେଣ୍ଡିଂ ଜୋନ୍‌’ ସାଇନ୍‌ ବୋର୍ଡ ଲଗାଇ ସେମାନଙ୍କୁ ବ୍ୟବସାୟ କରିବାକୁ ବାରଣ କରିଛି। ରାସ୍ତା ଜବରଦଖଲ କରି , ବେଆଇନ ଭାବରେ ବସି ବ୍ୟବସାୟ କରୁଥିବାରୁ ଶନିବାର ଦିନ ଏଭଳି କଟକଣା ଜାରି କରିଛି ବିଏମ୍‌ସି । ନିୟମ ନମାନିଲେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି କୁହାଯାଇଛି।

ଖାଓଗଳିର ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ବ୍ୟତୀତ ୨୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ ବସୁଥିବାରୁ ଏକାମ୍ର ହାଟ ରୋଡ୍‌ରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଥିଲା। ଦୁଇ ଦିନ ତଳେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢ଼ଉ କରି ସେମାନଙ୍କୁ ଚେତାବନୀ ଦେଇଥିଲା। ହେଲେ କେହି ନ ଶୁଣି ବ୍ୟବସାୟ ଚଳାଇଥିଲେ। ସେଥିପାଇଁ ଆଜି ସାଇନ୍‌ ବୋର୍ଡ ଲଗାଯାଇଛି।

କିଛି ଦିନ ତଳେ ଏଠାରେ ପ୍ରବଳ ଭିଡ଼ ହେବାନେଇ ଅଭିଯୋଗ ଆସିବାପରେ ମେୟର ସୁଲୋଚନା ଦାସ ନିଜେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ସେଠାରେ ଜଣେ ହେଲେ ଲାଇସେନ୍ସଧାରୀ ନଥିବା ଜାଣିବାକୁ ପାଇଥିଲେ। ଯାହାଫଳରେ ସମସ୍ତ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଲାଇସେନ୍ସଧାରୀ ଏକାଠି ହୋଇ ମେୟରଙ୍କୁ ଆବେଦନ କରିବା ପରେ ଏହି ବଜାର ଖୋଲିଥିଲା। ସେବେଠାରୁ ଏହା ଉପରେ ନଜର ରଖିଥିଲା ବିଏମ୍‌ସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.