କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଆଉ ହନ୍ତସନ୍ତ ହେବେନି ରୋଗୀ ଓ ସମ୍ପର୍କୀୟ

କଟକ (କେନ୍ୟୁଜ୍‌) : କଟକ ସ୍ଥିତ ଆଚାର୍ଯ୍ଯ ହରିହର ଆଞ୍ଚଳିକ କ୍ଯାନ୍ସର ହସପିଟାଲକୁ ଆସୁଥିବା ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ପାଇଁ ଖୁସି ଖବର । ରୋଗୀ ଓ ରୋଗୀ ସମ୍ପର୍କୀୟମାନଙ୍କ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ ଶେଷ ହୋଇଛି । ଏଠାକାର ସମସ୍ୟାକୁ ଦେଖି ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ବିଶ୍ରାମ ସ୍ଥଳୀ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ହସ୍ପିଟାଲ୍ ପରିସରରେ ପୂର୍ତ୍ତ ବିଭାଗ ଗତ ସପ୍ତାହରେ କ୍ୟାମ୍ପ ନିର୍ମାଣ ଆରମ୍ଭ କରିଥିଲେ । ନିର୍ମାଣ ହେଉଥିବା ୩ଟି କ୍ଯାମ୍ପ୍ ମଧ୍ୟରୁ ଗତକାଲି ପୂର୍ବାହ୍ନରେ ଗୋଟିଏ ଶିବିର କାର୍ଯ୍ଯକ୍ଷମ ହୋଇଛି । ତେବେ ଏଥିରେ ରୋଗୀ ଏବଂ ତାଙ୍କର ସହାୟକମାନେ ରହୁଛନ୍ତି । ଆଜି ସୁଦ୍ଧା ଦ୍ୱିତୀୟ ଶିବିର ଏବଂ ସପ୍ତାହ ଶେଷ ସୁଦ୍ଧା ତୃତୀୟ ଶିବିର କାର୍ଯ୍ଯକ୍ଷମ କରିବାକୁ ମୁଖ୍ଯ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଶିବିରରେ ଆଲୋକ, ଫ୍ଯାନ୍ ଏବଂ ପାନୀୟଜଳ ଆଦିର ବ୍ୟବସ୍ଥା କରାଯାଇଛି। ପ୍ରଥମ ଶିବିରରେ ପ୍ରାୟ ୫୦ ଜଣ ରୋଗୀ ଆଶ୍ରୟ ନେଇଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଶିବିର କାର୍ଯ୍ଯକ୍ଷମ ହୋଇଗଲେ ୧୦୦ରୁ ୧୫୦ ରୋଗୀ ଏବଂ ତାଙ୍କର ସହାୟକମାନେ ଆଶ୍ରୟ ନେଇ ପାରିବେ । ଶିବିରରେ ଆବଶ୍ଯକ ଲାଇଟ୍, ଫ୍ଯାନ୍ ଓ ପାନୀୟ ଜଳ ଆଦିର ବ୍ଯବସ୍ଥା କରାଯାଇଛି । ପାଖରେ ଆହାର କେନ୍ଦ୍ର ମଧ୍ୟ ଅଛି ।

ସାଧାରଣତଃ ରେଡିଏସନ୍ ନେଉଥିବା ରୋଗୀ ଓ ତାଙ୍କର ସହାୟକମାନେ ହସ୍ପିଟାଲ୍ ବାରଣ୍ଡା ଆଦିରେ ବିଶ୍ରାମ ନେଉଥିଲେ । ହସ୍ପିଟାଲ୍‌ରେ ଦୈନିକ ହାରାହାରି ୩୫୦ ରୋଗୀ ରେଡିଏସନ୍ ନେଉଛନ୍ତି । ବର୍ତ୍ତମାନ ହସ୍ପିଟାଲ୍‌୍‌ରେ ବେଡ୍ ସଂଖ୍ଯା ୨୮୧ ରହିଛି, ଯେଉଁଥିରେକି ଗୁରୁତର ଚିକିତ୍ସାଧୀନ ରୋଗୀମାନେ ରହୁଛନ୍ତି । ଏହାଛଡ଼ା ପ୍ରତିଦିନ ହାରାହାରି ୫୦୦ ନୂଆ ରୋଗୀ ହସ୍ପିଟାଲ୍‌କୁ ଆସୁଛନ୍ତି । ତାଛଡ଼ା ଦୂର ଦୂରନ୍ତରୁ ଆସି ରେଡିଏସନ୍ ନେଉଥିବା ରୋଗୀମାନେ ଅନେକ ସମୟରେ ନିଜ ଘରକୁ ଫେରି ନପାରି ସାଧାରଣ ଭାବେ ହସ୍ପିଟାଲ୍ ବାରଣ୍ଡାରେ ଆଶ୍ରୟ ନେଇ ଥାଆନ୍ତି । ତେଣୁ ଏହି ଆଶ୍ରୟ ସ୍ଥଳୀ ସେହିମାନଙ୍କୁ ବେଶ୍‌ ସହାୟକ ହେବ ।
ସୂଚନା ଯୋଗ୍ଯ ଅନୁସାରେ ଆଚାର୍ଯ୍ଯ ହରିହର କ୍ଯାନ୍ସର ହସ୍ପିଟାଲ୍‌ରେ ୨୦୦ ବେଡ୍ ବିଶିଷ୍ଟ ନୂଆ ୱାର୍ଡ ତିଆରି କରାଯାଉଛି । ଚଳିତ ବର୍ଷ ଜୁନ୍ ମାସ ଶେଷ ସୁଦ୍ଧା ଏହି ଏହା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.