କରୋନା ମୁକାବିଲାରେ ସାମିଲ ହେବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ, ମିଳିବ ପୁନଃ ନିଯୁକ୍ତି, ୮୬ଟି ଜେଲରୁ ୭୨୫୫ ବିଚାରଧୀନ ବନ୍ଦୀଙ୍କୁ ଜାମିନ

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ ୨୩୯୪ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଆଉ ଥରେ ପୁନଃ ନିଯୁକ୍ତି ମିଳିବ। ଏମାନଙ୍କୁ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଭାବେ ଠିକା ନିଯୁକ୍ତି ଦିଆଯିବ। କୋଭିଡ଼-୧୯ ମୁକାବିଲା କ୍ଷେତ୍ରରେ ପୋଲିସ ବିଭାଗର ମାନବସମ୍ବଳକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି। ସେପଟେ କୋଭିଡ଼-୧୯କୁ ଦୃଷ୍ଟିରେ ରଖି ୮୬ଟି ଜେଲରୁ ୭୨୫୫ ବିଚାରଧୀନ ବନ୍ଦୀଙ୍କୁ ଜାମିନ୍‌ ମିଳିଛି ।

ସାରା ଦେଶ ଏବେ ଘର ଭିତରେ। କିନ୍ତୁ ପୋଲିସ କର୍ମଚାରୀ ରାତିଦିନ ଏକ କରି ଡ୍ୟୁଟିରେ ଲାଗିଛନ୍ତି। ଲକ୍‌ଡାଉନଠାରୁ ଆରମ୍ଭ କରି କୋଭିଡ଼ ପଜିଟିଭ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି। ଓଡ଼ିଶା ପୋଲିସ ବିଭାଗରେ କର୍ମଚାରୀଙ୍କ ଅଭାବ ରହିଛି। ଏହାସତ୍ୱେ ଦିନରାତି କାମରେ ଲାଗିଛନ୍ତି ପୋଲିସ କର୍ମଚାରୀ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଠିକାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ପୋଲିସ ବିଭାଗର ଅଧିକାରୀ, ସିଏପିଏଫ, ସ୍ୱତନ୍ତ୍ର ପୋଲିସ ଅଧିକାରୀ ଯିଏ ଅବସର ନେଇଛନ୍ତି ସେମାନଙ୍କୁ ପୁନଃ ନିଯୁକ୍ତି ମିଳିବ। ମାନବସମ୍ବଳ ଅଭାବ ଥିବାରୁ କୋଭିଡ଼ ମୁକାବିଲା ଅନେକ ସମସ୍ୟା ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଏ ଲଢେଇ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି। 

ସେପଟେ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟର ୮୬ଟି ଜେଲରୁ ୭୨୫୫ ବିଚାରଧୀନ ବନ୍ଦୀଙ୍କୁ ଜାମିନ ଦିଆଯାଇଛି। ୩୮୯ ଜଣ କଏଦୀଙ୍କୁ ଜେଲ୍‌ ଜାମିନ୍‌ ଦେଇଥିବା ବେଳେ ୧୧୬୨ ଜଣ କଏଦୀଙ୍କୁ ଅନ୍ୟ ଜେଲକୁ  ସ୍ଥାନାନ୍ତର କରାଯାଇଛି। ସେପଟେ ୬ ହଜାର ୮ଶହ୬୬ ଜଣ କଏଦୀଙ୍କୁ କୋର୍ଟ ଜାମିନ୍‌ ଦେଇଛନ୍ତି।

ଓଡ଼ିଶା ପୋଲିସ ବିଭାଗର ସମୁଦାୟ ମଂଜୁରୀପ୍ରାପ୍ତ ପଦବୀରୁ ପାଖାପାଖି ୧୪ ପ୍ରତିଶତ ପଦବୀ ଖାଲି ରହିଛି। ସମୁଦାୟ ୭୨ ହଜାର ୧୧୯ ପଦବୀ ମଧ୍ୟରୁ ବିଭିନ୍ନ ବର୍ଗର ୧୦ ହଜାରରୁ ଅଧିକ ପଦବୀ ଖାଲି ଥିବା ନେଇ ଗତ ବିଧାନସଭା ଅଧିବେଶନରେ ଗୃହ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.