ବିଷମକଟକ ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାର ପାଇଁ ଘୋଷଣା କଲେ ଅନୁକମ୍ପା ରାଶି

ଭୁବନେଶ୍ୱର : ଗତ ୧୩ ତାରିଖରେ ରାୟଗଡ଼ା-ଭବାନୀପାଟଣା ରାଜ୍ୟ ରାଜପଥର ବିଷମକଟକ ବ୍ଲକ ଅନ୍ତର୍ଗତ ମଞ୍ଜୁରକୁପା ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ମୃତକଙ୍କ ପରିବାର ପାଇଁ ୨-୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବଲାଙ୍ଗିର ଜିଲ୍ଲାର ସୁଶାନ୍ତ ବିଶି, ଭକ୍ତ ହଂସ, ଲକ୍ଷ୍ମୀ କର୍ମା ଏବଂ ରାୟଗଡ଼ାର ଅଭୟ କୁଶୁଳିଆଙ୍କ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କପଳାଭଟ୍ଟା ଗାଁର ହନୀ ହଂସଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଷମକଟକ ଖ୍ରୀଷ୍ଟିଆନ୍ ହସ୍ପିଟାଲରେ ମୃତ୍ୟୁ ହେବା ପରେ ମୃତଦେହକୁ ନେଇ ଆମ୍ବୁଲାନ୍ସ ବଲାଙ୍ଗୀର ଅଭିମୁଖେ ଯାଉଥିଲା। ଅପରାହ୍ନରେ ଅମ୍ବାଦଳା ଥାନା ମଞ୍ଜୁରକୁପା ନିକଟରେ ସମ୍ବଲପୁରରୁ ଟିକିର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ସମ୍ମୁଖରୁ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଶନିବାର ଆଉ ଜଣେ ଆହତଙ୍କ କୋରାପୁଟ ମେଡ଼ିକାଲ୍ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.