Below header

ଯାଜପୁର : ରୂପେଶ ଭଦ୍ରଙ୍କ ବେଆଇନ୍‌ ‘ରଙ୍ଗଶାଳା’, ତଦନ୍ତରେ ଅବହେଳା ପାଇଁ ଆର୍‌ଆଇ ନିଲମ୍ବିତ, ଅତିରିକ୍ତ ତହସିଲଦାରଙ୍କୁ ନୋଟିସ୍‌

ଯାଜପୁର (କେ ନ୍ୟୁଜ୍‌) : ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା ତଦନ୍ତ ବେଳେ ଏବେ ଅନେକ ରହସ୍ୟ ଖୋଲିବାରେ ଲାଗିଛି । କିଭଳି ଘଟଣାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସହ ସାମିଲ ହୋଇ ସରକାରୀ ଅଧିକାରୀ ମଧ୍ୟ ତାଙ୍କୁ ସୁରକ୍ଷା ଦେବାକୁ ପଛାଇ ନଥିଲେ ସେ କଥାର ଏବେ ପର୍ଦ୍ଦାଫାସ୍‌ ହୋଇଛି । ରୂପେଶଙ୍କ ସେହି ବହୁଚର୍ଚ୍ଚିତ ଗେଷ୍ଟ ହାଉସ୍‌ ବା ରଙ୍ଗଶାଳା ବୋଆଇନ୍‌ ଭାବେ ସରକାରୀ ଜମିରେ ଗଢ଼ି ଉଠିଥିଲେ ମଧ୍ୟ ତା ଉପରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ଆଉ ଏହା ପଛରେ ଥିଲା ପ୍ରଶାସନର ପ୍ରୋତ୍ସାହନ । ଏକଥାର ପର୍ଦ୍ଦାଫାସ୍‌ ହେବା ପରେ ତଦନ୍ତରେ ଅବହେଳା ପାଇଁ ଯାଜପୁର ଭାରପ୍ରାପ୍ତ ଜିଲ୍ଲାପାଳ ଆରୁହା ରାଜସ୍ୱ ନିରୀକ୍ଷକ କ୍ଷୀରାବଧୀ ତନୟା ପଣ୍ଡାଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାଯାଇଛି । ଯାଜପୁର ଭାରପ୍ରାପ୍ତ ଜିଲ୍ଲାପାଳ ମିହିର କୁମାର ମହାନ୍ତି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
୨୦୧୮ ମାର୍ଚ୍ଚ ମାସରେ ଏହି ବେଆଇନ୍‌ ମହଲକୁ ଧର୍ମଶାଳା ତହସିଲ ପକ୍ଷରୁ ଉଚ୍ଛେଦ ପାଇଁ ନୋଟିସ ହୋଇଥିଲା । ଏହା ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ହରିଦାସପୁର ପଂଚାୟତ ବାଲିଗିରିସ୍ଥିତ ଏହି ଗେଷ୍ଟ ହାଉସକୁ କେବଳ କାଗଜ ପତ୍ରରେ ଉଚ୍ଛେଦ କରାଯାଇଥିବା ଦର୍ଶାଯାଇଥିଲା ।
ଜବର ଦଖଲକୁ ଉଚ୍ଛେଦ କରାଯାଇଛି ବୋଲି ଗତ ୨୬.୦୩/୨୦୧୮ରେ ତତ୍କାଳୀନ ଆରୁହା ରାଜସ୍ୱ ନିରୀକ୍ଷକ କ୍ଷୀରାବଧୀ ତନୟା ପଣ୍ଡା ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଖାଲି ସେତିକି ନୁହେଁ, ଗେଷ୍ଟହାଉସ୍‌କୁ ଉଚ୍ଛେଦ କରାଯାଇଛି ବୋଲି ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ମଧ୍ୟ କାଗଜପତ୍ରରେ ଦସ୍ତଖତ କରିଥିଲେ । ଏହି କାରଣରୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେଣୁ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ସ୍ମିତାରାଣୀ ମୃତ୍ୟୁ ଘଟଣାରୁ ଅନେକ କଥା ବାହାରିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.