“ମୋ ମାର୍ଗଦର୍ଶନରେ ମନ୍ଦିର ପରିଚାଳନା ହେବା ଆବଶ୍ୟକ”, କହିଲେ ଶଙ୍କରାଚାର୍ଯ୍ୟ

ଅତୀତରେ ପୁରୀ ଶ୍ରୀମନ୍ଦିର ପରିଚାଳନାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଭୂମିକା ଥିଲା ପ୍ରମୁଖ। ଧର୍ମସ୍ଥଳୀର ବ୍ୟବସ୍ଥା ଅନୁଯାୟୀ ଧର୍ମଗୁରୁ ହିଁ ଧର୍ମାନୁଷ୍ଠାନର ପରିଚାଳନା ମୁଖ୍ୟ ହେବା ଆବଶ୍ୟକ। ସରକାର ଓ ପ୍ରଶାସନ କେବଳ ସହଯୋଗ କରିବା ଆବଶ୍ୟକ। ଶ୍ରୀମନ୍ଦିର ପରିଚାଳନାରରେ ଶଙ୍କରାଚାର୍ୟ୍ୟଙ୍କୁ ସାମିଲ ନେଇ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନରେ ଏହି ମତ ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଧର୍ମାନୁଷ୍ଠାନରେ ସରକାରୀ କଳର ହସ୍ତକ୍ଷେପ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗତଗୁରୁ। ତାଙ୍କ ମାର୍ଗଦର୍ଶନରେ ଶ୍ରୀମନ୍ଦିର ପରିଚାଳନା କରାଗଲେ ଶ୍ରୀମନ୍ଦିର ସଂସ୍କାର କାର୍ୟ୍ୟ ଅଧିକ ସଫଳ ହୋଇପାରିବ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସକମାନେ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ନବୁଝି ଅଯଥା ହସ୍ତକ୍ଷେପ କରୁଛନ୍ତି। ଶ୍ରୀମନ୍ଦିର ପରିଚାଳନା ମାମଲାରେ ସୁପ୍ରିମକୋର୍ଟ ଶଙ୍କରାଚାର୍ୟ୍ୟଙ୍କୁ ପକ୍ଷଭୂକ୍ତ ହେବା ପାଇଁ ଆବେଦନ କରିଥିବା ବେଳେ ଦାୟିତ୍ୱ ଦେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ।
ଏନେଇ ଗୋବର୍ଦ୍ଧନ ପୀଠ ପକ୍ଷରୁ ସୁପ୍ରିମକୋର୍ଟରେ ମତ ରଖାଯିବ । ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ପୁରୀ ଶ୍ରୀମନ୍ଦିର ଭଳି ଧର୍ମାନୁଷ୍ଠାନର ସରକାର ପରିଚାଳନା କରୁଥିବା ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ପରେ ଏନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।