ରକ୍ତବୀର ଶରତ ପାତ୍ର: ୧୨୦ଥର ରକ୍ତଦାନ କରି ଅନ୍ଯ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ଆନନ୍ଦପୁର(କେନ୍ଯୁଜ୍): ରକ୍ତର ବିକଳ୍ପ ନାହିଁ, ତେଣୁ ରକ୍ତଦାନକୁ ମହାପୁଣ୍ଯ ବୋଲି ଅଭିହିତ କରାଯାଏ। ଯାହାକୁ ଅକ୍ଷରେ ଅକ୍ଷରେ ପ୍ରତିପାଦିତ କରିଛନ୍ତି ଆନନ୍ଦପୁର ଉପଖଣ୍ଡର ଶରତ । ନିପଟ ମଫସଲର ଚାଷୀ ଶରତ ରକ୍ତଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛିନ୍ତି । ଶହେରୁ ଅଧିକ ଥର ରକ୍ତଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସେ।

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ସଡଙ୍ଗା ଗ୍ରାମ । ଗାଁର ଶରତ ପାତ୍ର ଏକ ଭଙ୍ଗା ଦଦରା ଚାଳ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଆର୍ଥିକ ଅନାଟନରେ ଦିନ କାଟୁଥିବା ଶରତ ତାଙ୍କର ମହାନ୍‌ କାମ ପାଇଁ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାରେ । ଦୀର୍ଘ ୩୦ବର୍ଷ ଧରି ସେ ରକ୍ତଦାନ କରି ଏଯାଏ ୧୨୦ଥର ରକ୍ତଦାନ କରିସାରିଛନ୍ତି । ଯାହା ଆଶ୍ଚର୍ଯ୍ଯ ହେଲେ ମଧ୍ୟ ସତ।

ଶରତ ୧୯୯୪ ମସିହାରେ ଆନନ୍ଦପୁର କଲେଜର ଛାତ୍ର ଥିବାବେଳେ କଟକ ବଡଡାକ୍ତରଖାନାରେ ଦୁର୍ଘଟଣାରେ ଗୁରୁତର ଆହତ ଜଣେ ବ୍ଯକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିଥିଲେ।ସେବେଠାରୁ ସେ ରକ୍ତଦାନରେ ଅନ୍ଯମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଯେଉଁଠି ଯେତେବେଳେ ଆବଶ୍ଯକତା ପଡେ ଖବର ପାଇବା ମାତ୍ରେ ରକ୍ତଦାନ ପାଇଁ ସେ ପହଞ୍ଚିଯାନ୍ତି । ମାତ୍ର ୧୮ବର୍ଷ ବୟସରୁ ଆରମ୍ଭ ହୋଇଥିବା ଏହି ମହତ୍ବ କାମ ଭବିଷ୍ଯତରେ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି ଶରତ । ଏଥିପାଇଁ ଜିଲ୍ଲା ତଥା ରାଜ୍ଯର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ରକ୍ତବୀର ସମ୍ମାନରେ ସମ୍ମାନିତ କରିଛନ୍ତି ।

୧୨୦ ଥର ରକ୍ତଦାନ କରି ଅନ୍ଯର ଜୀବନ ବଞ୍ଚାଉଥିବା ଶରତ ଏବେ ଅନ୍ଯମାନଙ୍କ ପାଇଁ ଉଦାହରଣ। ଏହିଭଳି ମହାନ ବ୍ଯକ୍ତିତ୍ୱ ନିଶ୍ଚିତ ଭାବେ ପୂଜନୀୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.