ସରୋଜଙ୍କୁ ୟୁଟ୍ୟୁବ ସିଖାଇଲା ରୋଜଗାରର ବାଟ, ଏବେ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଆନନ୍ଦପୁର (କେନ୍ୟୁଜ) : ସୋସିଆଲ ମିଡିଆ ବର୍ତ୍ତମାନ ସମୟରେ ବହୁତ ଜରୁରୀ ହୋଇପଡିଛି। ଏହା ସାହାଯ୍ୟରେ ଅନେକ ବେକର ଯୁବକ ନିଜର ପ୍ରତିଭାକୁ ପରିପ୍ରକାଶ କରି ନିଜର ପରିଚୟ ସୃଷ୍ଟି କରିପାରୁଛି। କେବଳ ଏତିକି ନୁହେଁ ଏହାଦ୍ୱାରା ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି ଅନେକ ଯୁବକ ଯୁବତୀ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ସହ ଭେଟ କରାଇବୁ ଯିଏ ୟୁଟ୍ୟୁବର ସାହାରା ନେଇ ଆଜି ହୋଇପାରିଛନ୍ତି ଜଣେ ସଫଳ ଚାଷୀ।

ଏ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ ତରୁଆଁ ଗାଁ ର ସରୋଜ କୁମାର ସାହୁ। କୃଷକ ପରିବାରରେ ଜନ୍ମ ତାଙ୍କର। ଛୋଟ ଦିନରୁ ଇଚ୍ଛା ଥିଲା ବିଭିନ୍ନ ପ୍ରକାରର ଗଛ ତିଆରି କରିବା। ଛୋଟ ଦିନରୁ ଫୁଲ ବଗିଚା ଓ ଚାରା ପ୍ରତି ଦୁର୍ବଳତା ରଖୁଥିବା ସରୋଜ ନୂଆ କିଛି କରିବା ଆଶାରେ ସବୁବେଳେ ଚେଷ୍ଟା ଚଳାଇଥିଲେ। ମ୍ୟାଟ୍ରିକ ପଢା ପରେ କଲେଜରେ ପାଠପଢି ବାପା ଙ୍କୁ କୃଷି କାର୍ଯ୍ୟରେ ସାହାଯ୍ୟ କରିବା ସହ ନିଜ ଉଦ୍ୟମରେ ନିଜେ ଆତ୍ମର୍ନିଭରଶୀଳ ହେବାକୁ ମନବଳାଇଥିଲେ ସରୋଜ। ଘରେ ସମୟ ମିଳିଲେ ମୋବାଇଲରେ ୟୁଟୁବ୍‌ ଦେଖୁ ଦେଖୁ ହଠାତ ଏଥିପ୍ରତି ଆକର୍ଷିତ ହୋଇ ଏହାକୁ ନେଇ ଏକ ଫୁଲ ଉଦ୍ୟାନ ସୃଷ୍ଠି କରିବାକୁ ମନବଳାଇଲେ।

ପ୍ରଥମେ ଅନଲାଇନରୁ ମଞ୍ଜି ସଂଗ୍ରହ କରି ନିଜ ଉଦ୍ୟମରେ ଘର ଅଗଣାରେ ଏକ ଚାରା କେନ୍ଦ୍ର ତିଆରି କଲେ । ଏହି ଗଛଟିର ଇଁରାଜୀ ନାମ ଆଡେନିୟମ୍‌ ବା ମେଦବହୁଳ ଗଛ ଯାହାର ଜଳଧାରଣ କ୍ଷମତା ଅଧିକ ଅଟେ ।ଏହି ଗଛକୁ ଖାସ୍‌ କରି ମରୁଭୂମୀ ଅଞ୍ଚଳରେ ବେଶି ଦେଖିବାକୁ ମିଳେ। ଏହି ଗଛଟି ବିନା ପାଣିରେ ବି ବହୂତ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ। ଏହି ଫୁଲ ଗଛର ଅନେକ ପ୍ରଜାତି ରହିଥିବା ବେଳେ ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ ଋତୁ ଅନୁସାରେ ଫୁଟିଥାଏ ।ଏହି ଫୁଲ ଚାରାର ଚାହିଦା ଢେର୍‌ ବେଶି ।

ତେବେ ଏହାର ବିକ୍ରିକୁ ନେଇ ଗ୍ରାମାଞ୍ଚଳରେ ସେମିତି ବଜାର ସୁବିଧା ନଥିଲେ ବି ସରୋଜ ଅନଲାଇନରେ ଆଡ୍‌ ଦେଇ ରାଜ୍ୟ ବାହାରକୁ ମଧ୍ୟ ଚାରା ପଠାଇ ପାରୁଛନ୍ତି । ଏହି ଗଛର ଡିମାଣ୍ତ ଅନୁସାରେ ବାହାର ଦେଶ ଥାଇଲାଣ୍ତରୁ ବିଭିନ୍ନ କିସମର ଆଡେନିୟମ୍‌ ମଞ୍ଜି ଅନଲାଇନରେ ସଂଗ୍ରହ କରି ଉନ୍ନତ ମାନର ଚାରା ତିଆରି କରି ବିକ୍ରି କରିପାରୁଛନ୍ତି । ଗୋଟେ ଗଛ ପ୍ରତି ଶହେରୁ ଦେଢ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ବେଳେ ବର୍ଷକୁ ଏହି ବ୍ୟବସାୟରୁ ଏକ ଲକ୍ଷ ଟଙ୍କାରୁ ଅଧିକ ଲାଭ କରିପାରୁଛନ୍ତି । ଏହି ଚାରା ପାଇଁ ଅଗଣାରେ ଏକ ଗ୍ରିନ ହାଉସ ର୍ନିମାଣ କରିଛନ୍ତି । ଏଥିରେ ତାଙ୍କୁ ପୂରା ପରିବାରର ସହଯୋଗ ମିଳିବା ସହିତ ଗ୍ରାମବାସୀ ମାନେ ମଧ୍ୟ ସରୋଜଙ୍କ ଆଡେନିୟମ ଫୁଲ ଚାରା ବଗିଚା ପ୍ରତି ବେଶ୍‌ ଆକର୍ଷିତ ହୋଇ ତାଙ୍କ କାମକୁ ପ୍ରଶଂସା କରୁଛନ୍ତି।

ଆଜିର ଯୁବ ସମାଜ ପାଇଁ ସରୋଜଙ୍କ ଏଭଳି ଅଭିନବ ପ୍ରୟାସ ଯୁବଗୋଷ୍ଠୀଙ୍କୁ ନିହାତି ଭାବେ ପ୍ରେରଣା ଯୋଗାଇବ । ଏହାସହିତ ଯେଉଁମାନେ ନିଜକୁ ବେକାରୀ ବୋଲି ଭାବୁଛନ୍ତି ସେମାନେ ଏଭଳି ନିଜସ୍ୱ ଉଦ୍ୟମରେ କିଛି ସୃଷ୍ଟି କରି ନିଜର ପରିଚୟ ସୃଷ୍ଟି କରିବା ସହିତ ରୋଜଗାରକ୍ଷମ ମଧ୍ୟ ହୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.