ଦୀର୍ଘ ୨୬୪ ବର୍ଷ ହେଲା ଜଳୁଛି ସତୀ ଜୁଇ, ଆମ ରାଜ୍ୟରେ ରହିଛି ଏମିତି ଜାଗା

ସୋରଡା (କେନ୍ୟୁଜ୍): ଗଡଜାତ ରାଜ୍ୟ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଧରାକୋଟ ଗଡର ଖାସ୍‌ ସ୍ୱତନ୍ତ୍ରତା ରହିଛି । ଏହି ସ୍ୱତନ୍ତ୍ରତା ପ୍ରମାଣ ଦେବାକୁ ଅନେକ କିମ୍ବଦନ୍ତୀ ଛାଡି ଯାଇଛି ରାଜତନ୍ତ୍ର । ତାର ଜ୍ୱଳନ୍ତ ଉଦାହରଣ ହେଉଛି ଧରାକୋଟ ଗଡର ସତିମଠ । ୨୬୪ ବର୍ଷର ପୁରୁଣା ପରମ୍ପରାକୁ ଜାବୁଡି ଧରି ସତୀ ଚିତା ଏହି ଗଡଜାତ ରାଜ୍ଯର ସ୍ୱତନ୍ତ୍ରତାର ଏକ ବଳିଷ୍ଠ ପ୍ରମାଣ ।  ଶିକ୍ଷା,ସାହିତ୍ୟ,ସଂସ୍କୃତି ଓ ଧାର୍ମିକ ଭାବନା ଏହି ଗଡଜାତ ରାଜ୍ଯ ଗୁଡିକୁ ଭିତ୍ତି କରି ଋଦ୍ଧିମନ୍ତ କରିଥିଲା । ଇତିହାସରୁ ଜଣା ପଡୁଛି ଯେ ଖିଡିଶିଙ୍ଗୀ ରାଜବଂଶର ରାଜା ହାଡୁ ସିଂହ ୧୪୭୭ ମସିହାରେ ପ୍ରଥମେ ଧରାକୋଟ ରାଜ ସିଂହାସନ ଆରୋହଣ କରିବା ସହିତ ପାହାଡର ପାଦ ଦେଶରେ ରାଜ ଉଆସ କରିଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ଯନ୍ତ ୧୭ ଜଣ ରାଜା ଶାସନ କରି ସ୍ୱର୍ଗ ଆରୋହଣ କଲେଣି । ରାଜ ରାଜୁଡା ସମୟରୁ ଧରାକୋଟରେ ୧୩ଟି ମଠ ମଧ୍ୟ ସ୍ଥାପନ ହୋଇଛି ସେଥି ମଧ୍ୟରୁ ସତୀ ମଠ ହେଉଛି ଗୋଟିଏ । କିମ୍ବଦନ୍ତୀ କୁହେ ଏହି ମଠରେ ନାଗା ସଂପ୍ରଦାୟର ସାଧୁମାନେ ଯୋଗ ଧ୍ୟାନ କରି ରହୁଥିଲେ । ଋଷିକୂଲ୍ୟା ନଦୀର କୂଳରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଗହଳିରେ ମଠଟି ସ୍ଥାପନ କରିଥିଲେ । ସେଠାରେ ଅଶୋକ ବୃକ୍ଷ ,ବେଲ, ଲିମ୍ବ ଆଦି ଅନେକ ଔଷଧୀୟ ଗଛ ସବୁ ଆଜି ପର୍ଯ୍ଯନ୍ତ ମୁକ ସାକ୍ଷୀ ହୋଇ ରହିଛି ।

ଧରାକୋଟ ରାଜ୍ୟ ଶାସନ ସବୁ ଠିକ ଠାକ ଚାଲିଥିଲା ବେଳେ ଷଷ୍ଟ ପିଢ଼ିର ରାଜା ଜୟ ସିଂହଙ୍କ ଦେହାନ୍ତ ପରେ ତାଙ୍କ ପତିବ୍ରତା, ଧର୍ମପରାୟଣତା,ସ୍ୱାମୀ ଅନୁଗାମୀ ରାଣୀ ପଦ୍ମମାଳା ଦେବୀ ପତିଙ୍କ ଚିତାରେ ଝାସ ଦେଇ ନିଜ ସତୀତ୍ୱର ପ୍ରମାଣ ଦେଇଥିଲେ ଯାହା ଇତିହାସ ପୃଷ୍ଟାରେ ୧୭୫୮ ମସିହାରେ ବର୍ଣ୍ଣନା ହୋଇଛି । ସତୀ ମଠର ପରମ୍ପରାକୁ ବଜାୟ ରଖିବା ପାଇ ପରବର୍ତ୍ତୀ ରାଜା ରାଜେନ୍ଦ୍ର ସିଂହ ସେତେବେଳର ମହନ୍ତ ନିରାକାର ଦାସ ବାବାଙ୍କୁ ସତୀ ଚିତା ସବୁଦିନ ପାଇଁ ଜଳାଇ ରଖିବାକୁ ନିର୍ଦ୍ଦେଶ ଦେଇ ପର୍ଯ୍ଯାପ୍ତ ପରିମାଣର କାଠ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଣି ଅଷ୍ଟମ ପିଢ଼ିର ରାଜା କୃଷ୍ଣ ସିଂହ ୧୭୮୧ ରୁ ୧୭୮୮ ପର୍ଯ୍ଯନ୍ତ ଶାସନ କରିଥିଲେ ପର ମୁହୂର୍ତ୍ତରେ ତାଙ୍କରି ଦେହାନ୍ତ ହୋଇଥିଲା । ତାଙ୍କ ପାଟ ମହାଦେଈ ଚନ୍ଦ୍ରମା ଦେବୀ ମଧ୍ୟ ପତିଙ୍କ ଚିତାରେ ଝାସ ଦେଇ ସତୀତ୍ୱର ପ୍ରମାଣ ଦେଇଥିଲେ । ଫଳରେ ମଠର ଗୁରୁତ୍ୱ ଆହୁରି ବଢି ଯାଇଥିଲା । ଅନ୍ଯ ଏକ କିମ୍ବଦନ୍ତୀ କହେ ଦିନେ ସପ୍ତମ ରାଜା ରାଜେନ୍ଦ୍ର ସିଂହ ସନ୍ଯସାମନ୍ତଙ୍କ ସହିତ ମୃଗୟା ବା ଶିକାରକୁ ଯାଇଥିଲେ ଫେରିବା ବେଳେ ବାଟରେ ଭୀଷଣ ବର୍ଷା ହେଲା ।

rajaବର୍ଷା ପବନ ଯୋଗୁ ରାଜା ଥରିଥରି ଜୁଇ ସ୍ଥଳରେ ପହଞ୍ଚି ଥିଲେ । ଦେଖିଲେ ଯେ ଜଣେ ଅବଧୂତ ବାବାଜୀ ବସିଛନ୍ତି ଏବଂ ଅଗ୍ନି ଜଳୁଛି । ସେହି ସ୍ଥାନ ବ୍ଯତୀତ ଅନ୍ଯ ଆଡେ ଭୀଷଣ ବର୍ଷା ହେଉଛି । ବାବାଜୀଙ୍କୁ ରାଜା ପଚାରିବାରୁ ସେ ଉତ୍ତର ଦେଲେ ଏ ହେଉଛି ସତୀଙ୍କର ପରିଚୟ । ବର୍ତ୍ତମାନ ସେହି ମଠର ୧୨ ଏକର ଜମିରେ ମନ୍ଦିର ଗଢି ଉଠୁଛି । ମନ୍ଦିରରେ ପ୍ରଭୁ ରାଧା କୃଷ୍ଣ, ଯଜ୍ଞେଶ୍ୱର ପୂଜା ପଉଛନ୍ତି । ପ୍ରତିଦିନ ଧୁନୀରେ ଘୃତ ଦିଆ ଯାଉଛି ଏବଂ ଅନ୍ନ ଭୋଗ ହେଉଛି । ଆଜି ପର୍ଯ୍ୟନ୍ତ ଅଗ୍ନି ଜଳୁଛି ବହୁ ବର୍ଷା ପବନ ହେଲେ ମଧ୍ୟ ଲିଭୁ ନାହି । ରାଜା ପରେ ରାଜା, ମହନ୍ତଙ୍କ ପରେ ମହନ୍ତ ସତୀ ଚିତାକୁ ଜଳାଇ ରଖିଛନ୍ତି । ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୨୬୪ ବର୍ଷ ଚିତା ଜଳୁଛି । ଶେଷ ରାଜା କିଶୋର ସିଂହଦେଓଙ୍କ ଦେହାନ୍ତ ପରେ ତାଙ୍କରି କୌଣସି ପୁତ୍ର ସନ୍ତାନ ନ ଥିବା ଯୋଗୁ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରାଜ ଗାଦିରେ ବସିଛନ୍ତି । ସେ ରାଜ ଉଆସ ଏବଂ ମଠର ତତ୍ତ୍ୱାବଧାନ କରୁଛନ୍ତି ।

ଧରାକୋଟର ବିଶାଳ ରାଜପ୍ରାସାଦ । ରାଜ ଦରବାର, ରାଣୀ ମହଲ, ହାତୀ ଶାଳା, ଘୋଡା ଶାଳା, ପାର୍କ, ମନ୍ଦିର ସବୁ ଅଛି କିନ୍ତୁ ଅଧିକାଂଶ ଭଗ୍ନ ଅବସ୍ଥାକୁ ଆସିଲାଣି । ଏତେ ବଡ ପ୍ରାସାଦର ରକ୍ଷଣା ବେକ୍ଷଣ କରିବା ମୁସ୍କିଲ ହୋଇପଡିଛି । ରାଜ ପ୍ରାସାଦରେ ବର୍ତ୍ତମାନ ରାଣୀ ନନ୍ଦିନୀ ଦେବୀ ଯିଏକି ଜଣେ ପୂର୍ବତନ ବିଧାୟିକା ରହୁଛନ୍ତି । ତାଙ୍କ ସହ ରହୁଛନ୍ତି ତାଙ୍କର ଦୁଇ ଝିଅ। ଅଳ୍ପ କର୍ମଚାରୀ କାମ କରୁଛନ୍ତି । ବହୁ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ଯଟକ ରାଜ ଉଆସ, ସତୀ ମଠକୁ ବୁଲିବାକୁ ଆସୁଛନ୍ତି । ଅତୀତରେ ଏହି ରାଜବଂଶର ରାଜା ଅନନ୍ତ ନାରାୟଣ ସିଂହଦେଓ ମଧ୍ୟ ରାଜନୀତିରେ ପାଦ ଦେଇଥିଲେ । ତେବେ ପରିତାପର ବିଷୟ ହେଉଛି ଐତିହାସିକ ସ୍ମାରକୀ ଭାବେ ଅତୀତର କାହାଣୀ ବଖାଣୁ ଥିବା ଏହି ସତୀ ମଠ ପ୍ରତି ପ୍ରଶାସନର ନଜର ମଧ୍ୟ ପଡ଼ିବା ଦରକାର । କାରଣ ଏହାର ଏବଂ ଏଠାକାର ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ସହ ରାଜପ୍ରାସାଦର ଉନ୍ନତିକରଣ କରାଗଲେ ପର୍ଯ୍ୟଟନ ମାନଙ୍କ ପାଇଁ ବାଟ ଖୋଲି ଯାଆନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.