ଛାତ୍ରଛାତ୍ରୀଙ୍କୁ ରାସ୍ତା ପାରି କରି ଫେରୁଥିବା ବେଳେ ସ୍କୁଲ ସାରଙ୍କୁ ପିଟିଲା ବାଇକ୍, ଡାକ୍ତରଖାନା ନେବା ବାଟରେ ଚାଲିଗଲା ଜୀବନ

ଯାଜପୁର(କେନ୍ୟୁଜ): ଏମିତି ବି ଆସେ ମୃତ୍ୟୁ। ସ୍କୁଲ ଖେଳ ଛୁଟି ସମୟରେ ଛାତ୍ର ଛାତ୍ରୀଙ୍କୁ ରାସ୍ତା ପାରି କରି ନିଜେ ଫେରୁଥିବା ସମୟରେ ଦୁର୍ଘଟଣାରେ ଚାଲିଗଲା ପ୍ରଧାନ ଶିକ୍ଷକଙ୍କ ଜୀବନ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ-ବରୁଆଁକୁ ସଂଯୋଗ କରୁଥିବା ୨୦ନଂ ଜାତୀୟ ରାଜପଥର ସାରଙ୍ଗପୁର ନିକଟରେ। ମୃତକ ହେଲେ ସାରଙ୍ଗପୁର ୟୁଜିଏମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ମିଶ୍ର। ତାଙ୍କ ଘର ରସୁଲପୁର ବ୍ଲକ ଗନ୍ଧଣ ପଞ୍ଚାୟତ ଏକତଳା ଗ୍ରାମରେ ବୋଲି ଜଣାପଡିଛି। ରାସ୍ତା ପାର୍ଶ୍ଵରେ ସ୍କୁଲଟି ଥିବାରୁ ଆଜି ସ୍କୁଲ ଖେଳ ଛୁଟି ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଚାଲି ଚାଲି ରାସ୍ତା ପାରି କରାଇ ଫେରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଏହା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ଉକ୍ତ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଜାତୀୟ ରାଜପଥ ପାର୍ଶ୍ଵରେ ସ୍କୁଲ ଥିବାରୁ ଏଠାରେ ହମ୍ପସ ଓ ପୋଲ ନିର୍ମାଣ କରିବା ନେଇ ଦାବି ହୋଇଥିଲା। ଖବର ପାଇ ରସୁଲପୁର ତହସିଲଦାର ଓ କୁଆଖିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଜାତୀୟ ରାଜପଥରୁ ଅବରୋଧ ହଟିଥିଲା।