ଯୁବକକୁ ପିଟିପିଟି ମାରି ଦେଲେ ସିକ୍ୟୁରିଟି ଗାର୍ଡ଼, ଭିଡିଓ ଭାଇରାଲ ହେଲା ପରେ ଜଣାପଡ଼ିଲା

ରାଉରକେଲା (କେନ୍ୟୁଜ୍‌) : ବର୍ବରତାର ସୀମା ଟପିଲା ମଣିଷର। କାରଖାନା ପରିସରକୁ ପଶିଗଲା ବୋଲି ପିଟିପିଟି ମାରିଦେଲେ ସିକ୍ୟୁରିଟି ଗାର୍ଡ। ମାରି ମାରି ଦରମରା ଅବସ୍ଥାରେ ଫାଟକ ବାହାରେ ଫିଙ୍ଗି ଦେଇଥିଲେ। ଶେଷରେ ପ୍ରାଣ ହରାଇଲେ ଯୁବକ। ଯୁବକଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବାର ଭିଡିଓ ଭାଇରାଲ ହେବା ପରେ ଥାନାରେ ମାମଲା ହୋଇଛି। ରାଉରକେଲା ଟାଙ୍ଗରପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଛାତିଥରା ଘଟଣା।

ଗତକାଲି ଜଣେ ଯୁବକ ଟାଙ୍ଗରପଲ୍ଲୀ ଥାନାର ଆରଏସପି ପରିସରରେ ଥିବା ଏଲଏଣ୍ଡଟି ଏରିଆକୁ କୌଣସି କାରଣରୁ ପଶି ଯାଇଥିଲା। ତାକୁ ସିକ୍ୟୁରିଟି ଗାର୍ଡ ଧରି ନିସ୍ତୁକ ମାଡ଼ ମାରିଥିଲେ। ଯୁବକ ଜଣକ ଅଚେତ ହୋଇଯିବା ପରେ ମୃତ ଭାବି ବାଉଣ୍ଡରୀ ବାହାରେ ନାଳରେ ଫିଙ୍ଗି ଦେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି। ଆଜି ସକାଳେ ସ୍ଥାନୀୟ ବାସିନ୍ଦା ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।

rourlela1

ଯୁବକ ଜଣଙ୍କ ଦେଓଗାଁ ଅଞ୍ଚଳର ସଚିନ ଗୋପ ବୋଲି ଚିହ୍ନଟ ହୋଇଛି। ତାଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡିଓ ଭାଇରାଲ ହୋଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ କରିବା ସହ ଦୋଷୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଦି ଯୁବକ ଜଣଙ୍କ କୌଣସି କାରଣରୁ କମ୍ପାନୀର ନିଷିଦ୍ଧାଞ୍ଚଳକୁ ପଶି ଯାଇଛନ୍ତି ସିକ୍ୟୁରିଟି ଗାର୍ଡ ତାଙ୍କୁ ଥାନାରେ ଜିମା ଦେବା କଥା। କିନ୍ତୁ ସେପରି ନକରି ଆଇନକୁ ହାତକୁ ନେଇ ପିଟି ପିଟି ମାରିଦେବା କେତେଦୂର ଯୁକ୍ତିଯୁକ୍ତ? ଆରଏସପିର ନିଜସ୍ୱ ସୁରକ୍ଷା ବିଭାଗ ଥିବା ବେଳେ ସେମାନେ କରୁଥିଲେ କଣ ବୋଲି ନାନା ପ୍ରଶ୍ନ ଉଠିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.