ଓଡ଼ିଶା ପୋଲିସର ଦୁଇ ଜଣଙ୍କୁ ମିଳିବ ସୌର୍ଯ୍ୟଚକ୍ର ସମ୍ମାନ,ମାଓବାଦୀଙ୍କ ସହ ଲଢ଼ି ସହିଦ ହୋଇଥିଲେ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ପୋଲିସର ଦୁଇ ଜଣଙ୍କୁ ମିଳିବ ସୌର୍ଯ୍ୟଚକ୍ର ସମ୍ମାନ । ମରୋଣୋତ୍ତର ଭାବରେ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁଙ୍କୁ ଏହି ସମ୍ମାନ ମିଳିବ । ମାଓବାଦୀଙ୍କ ସହ ଲଢ଼ି ସେମାନେ ସହିଦ ହୋଇଥିଲେ । ଏନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କ ନାଁ ଘୋଷଣା କରାଯାଇଛି ।

ସେହିଭଳି ସ୍ୱାଧୀନତା ଦିବସ ଅବସରରେ ଦେଶର ୧୩୮୦ ପୋଲିସ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶାରୁ ୬୭ ଜଣ ପୋଲିସଙ୍କୁ ଚଳିତବର୍ଷ ମିଳିବ ସାହସିକତା ପୁରସ୍କାର । ସେହିପରି ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମିଳିବା ରାଷ୍ଟ୍ରପତି ପୋଲିସ ମେଡାଲ୍‌ । ସେମାନେ ହେଲେ ଏସ୍‌ଆଇଡବ୍ଲୁ ଡେପୁଟି ଏସ୍‌ପି ଉମା ଶଙ୍କର ପଣ୍ଡା, ଭିଜିଲାନ୍ସ ନିର୍ଦ୍ଦେଶାଳୟ କନେଷ୍ଟବଳ ଭାବଗ୍ରାହୀ ତ୍ରିପାଠୀ । ସେହିଭଳି ୧୧ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ମେଡାଲ୍‌ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ କେନ୍ଦ୍ରୀୟ ରେଞ୍ଜ ଆଇଜି ନରସିଂହ ଭୋଳ, ଯାଜପୁର ଅତିରିକ୍ତ ଏସ୍‌ପି ଜୟରାମ ଶିତପଥୀ, ଏସ୍‌ଆଇଡବ୍ଲୁ ଡେପୁଟି କମାଣ୍ଡାଣ୍ଟ ଏସଓଜି ଅଶୋକ କୁମାର ସାହୁ, ଏସିପି ଅମରେନ୍ଦ୍ର ପଣ୍ଡା, ବରଗଡ଼ ଡେପୁଟି ଏସ୍‌ପି ପ୍ରଦୀପ କୁମାର ସାହୁ, ସମ୍ବଲପୁର ଡେପୁଟି ଏସ୍‌ପି ତପନ କୁମାର ମହାନ୍ତି, ଭିଜିଲାନ୍ସ ଡିଭିଜନ ଭବାନୀପାଟଣା ୟୁନିଟର ଡେପୁଟି ଏସ୍‌ପି ସତ୍ୟବାନ ମହାନନ୍ଦ, ଇଓଡବ୍ଲୁ ସବ୍‌ ଇନସପେକ୍ଟର ସୁକାନ୍ତ କୁମାର ମହାନ୍ତି, ହାବିଲଦାର ଶେଖ ଅବିର, ଭିଜିଲାନ୍ସ କନଷ୍ଟେବଲ ଭଗବାନ ସାହୁ ଏବଂ ଓଏସଏପି ୪ର୍ଥ ବାଟାଲିୟନ ରାଉରକେଲାର ସିପାହୀ ବିଶ୍ୱକର୍ମା ମୁଣ୍ଡା ଅଛନ୍ତି ।

ପଦକ ଘୋଷଣା ପରେ ଓଡ଼ିଶା ପୋଲିସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ଅଭୟ । ଓଡ଼ିଶା ପୋଲିସର ବୀରତ୍ୱ ଓ ସାହସିକତାକୁ ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହା ରାଜ୍ୟ ପୋଲିସ ପାଇଁ ଗର୍ବ ଓ ଉତ୍ସବର ମୁହୂର୍ତ୍ତ ବୋଲି ପୋଲିସ ଡିଜିପି କହିଛନ୍ତି । ମାଓବାଦୀଙ୍କ ସହ ମୁକାବିଲାରେ ଓଡ଼ିଶା ପୋଲିସ ପ୍ରଶଂସନୀୟ ବୀରତ୍ୱ ପ୍ରଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.