ଯୁବତୀ ଚାଲାଣ ନେଇ ପୁଣି ଆସିଲା ଚାଞ୍ଚଲ୍ୟକର ଘଟଣା: ଅଭାବ ସମୟରେ ବନ୍ଧୁତା କରି ଚାଲିଛି ବିକ୍ରି
ରାଉରକେଲା (କେନ୍ୟୁଜ୍): ଯୁବତୀ ଚାଲାଣ ନେଇ ପୁଣି ଆସିଲା ଏକ ଚାଞ୍ଚଲ୍ୟକର ଘଟଣା। ବିବାହର ସୁନେଲି ସ୍ବପ୍ନ ସହ ମାନସିକ ବିକାରଗ୍ରସ୍ତ ଭଉଣୀର ଚିକିତ୍ସା ତଥା ଘରର ଆର୍ଥିକ ଅବସ୍ଥା ସୁଧାରିବାର ପ୍ରତିଶ୍ରୁତି ଦେଇ କରିଥିଲେ ଯୁବତୀ ଚାଲାଣ। ପ୍ରତିଶ୍ରୁତି ପୂରଣ ଦୂରେ ଥାଉ କାହା ସହ ଯୋଗାଯୋଗ କଲେ ମିଳୁଛି ନିର୍ଯ୍ୟାତନା ଓ ଜୀବନରୁ ମାରିଦେବା ଧମକ । ରାଉରକେଲା ସହରର ଉଦିତନଗର ଥାନାରେ ମାମଲା ରୁଜୁ ପରେ ଏଭଳି ଏକ ଘଟଣା ର ତଦନ୍ତ ଆରମ୍ଭ କରିଛି ପୋଲିସ ।
ମା ମରିଯିବା ପରେ ବାପା ବରୁଣ ତନ୍ତୀଙ୍କ ଆଶ୍ରାରେ ମାଲଗୋଦାମ ଅଞ୍ଚଳରେ ଘର ଭଡ଼ା ନେଇ ଚଳୁଥିଲେ ତିନି ଭଉଣୀ । ବଡ଼ ଭଉଣୀର ମାନସିକ ଅବସ୍ଥା ଠିକ୍ ନଥିବା ବେଳେ ବାପା ବରୁଣ ମଧ୍ୟ ଗତ ଦେଢବର୍ଷ ପୂର୍ବରୁ ଚାଲିଯାଇଥିଲେ ଆରପାରିକୁ । ବାପାଙ୍କ ମୃତ୍ୟୁ ପରେ ଆକାଶ ଛିଡ଼ି ପଡ଼ିଥିଲା ତିନି ଭଉଣୀଙ୍କ ଉପରେ । ଚଳିବେ କେମିତି ସାହା ହେବ କିଏ? ଏକଥା ଚିନ୍ତା କରୁଥିବା ବେଳେ ସାହାଯ୍ୟ କରିବା ପାଇଁ ବନ୍ଧୁ ବେଶରେ ବନ୍ଧୁତା ସ୍ଥାପନ କଲେ ସ୍ଥାନୀୟ ଦୁଇ ଜଣ ଯୁବକ। ଯୁବତୀଙ୍କୁ ବିକ୍ରି କରିବା ପାଇଁ ବିଛାଇଥିଲେ ବନ୍ଧୁତାର ଜାଲ।
ପ୍ରଥମେ ବନ୍ଧୁତା ସ୍ଥାପନ କଲେ ବିଶ୍ୱାସ ଜିତିଲେ ଏବଂ ଏହାପରେ ଦେଖାଇଲେ ନିଜର ରାକ୍ଷସ ରୂପ। ପରିବାର ସହ ବନ୍ଧୁତା ସ୍ଥାପନ କଲେ ଏବଂ ବିଶ୍ଵାସ ଜିଣି ତାଙ୍କ ସାନ ଭଉଣୀକୁ ବିବାହ କରାଇଦେବା କଥା କହି ରାଜସ୍ଥାନ ନେଇଗଲେ। ହେଲେ ଏବେ ସବୁ ବଦଳିଗଲା। ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା। ଉକ୍ତ ଦୁଇ ଯୁବକଙ୍କ ସହ ଯାଇଥିବା ସାନ ଭଉଣୀକୁ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ ଆଣିଛନ୍ତି ମଝିଆଁ ଭଉଣୀ।
ଯେତେ କହିଲେବି ସାନ ଭଉଣୀ ସହ ସଂପର୍କ କରାଇଦେଉନଥିଲେ ଉଭୟ ଯୁବକ । ରାଜସ୍ଥାନରେ ଥିବା ସାନ ଭଉଣୀ କିଛିଦିନ ପରେ କୌଶଳ କ୍ରମେ ରାଜସ୍ଥାନରୁ ମଝିଆ ଭଉଣୀକୁ ଫୋନ କରିଥିଲା ଏବଂ କହିଥିଲେ ତାଙ୍କ ସହ ହୋଇଥିବା ସବୁ ଅତ୍ୟାଚାର କଥା । ଜୋର ଜବରଦସ୍ତ ବିବାହ କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଘରୁ ବାହାରିବାକୁ ଚେଷ୍ଟା କଲେ ବା କାହାକୁ କିଛି କହିଲେ ଜୀବନରୁ ମରିଦେବର ଧମକ ଦେଇଛି। ଏନେଇ ଜାଣିବା ପରେ ଏବେ ନ୍ୟାୟ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛି ମଝିଆ ଭଉଣୀ।
ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବାହାର ରାଜ୍ୟରେ ବିକ୍ରି କରା ଯାଉଥିବା ଅଭିଯୋଗ ହୋଇ ଚାଲିଛି। ବିଶେଷ କରି ରାଜସ୍ଥାନ , ହରିୟାଣା , ମଧ୍ୟପ୍ରଦେଶ ଆଦି ରାଜ୍ୟକୁ ଜିଲ୍ଲା ରୁ ଆଦିବାସୀ ଓ ଗରିବଗୁରୁବା ଯୁବତୀ ମାନଙ୍କୁ ନେଇ ଜୋର ଜବରଦସ୍ତ ବିବାହ କରାଯାଉଥିବା ବେଳେ ସେମାନେ ନିର୍ଯ୍ୟାତିତ ହେଉଛନ୍ତି । ଏହିଭଳି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି।
ରାଉରକେଲା ସହରର ଗରିବ ଗୁରୁବା ଓ ଆର୍ଥିକ ଅନାଟନରେ ଚଳୁଥିବା ପରିବାର ଓ ଯୁବତୀଙ୍କୁ ଟାର୍ଗେଟ କରିଥାନ୍ତି ଏହି ଯୁବତୀ ଚାଲାଣ ରାକେଟ । ପରେ ପରେ ଯୁବତୀଙ୍କୁ ଚାକିରୀ କରାଇଦେବାର ପ୍ରଲୋଭନ ଓ ବିବାହର ସୁନେଲି ସ୍ବପ୍ନ ଦେଖାଇ ରାଜ୍ୟ ବାହାରର କିଛି ଦଲାଲଙ୍କ ସହ ଜବରଦସ୍ତି ବିବାହ କରାଇ ଦେଇଥାନ୍ତି । ଅନ୍ଯପଟେ ଏଭଳି ଅନେକ ନିର୍ଯ୍ୟାତନାର ଶୀକାର ହେଉଥିବା ଯୁବତୀ ଓ ନାବାଳିକାଙ୍କୁ ଭିନ୍ନ ଭିନ୍ନ ସମୟରେ ରାଉରକେଲା ପୋଲିସ ପକ୍ଷରୁ ମଧ୍ଯ ଠାବ କରାଯାଇ ଉଦ୍ଧାର କରାଯାଇଛି ।