ଆନ୍ଧ୍ରରେ ହିଂସା! ମନ୍ତ୍ରୀ, ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ! ପରିବାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ

ଆନ୍ଧ୍ର ପ୍ରଦେଶର କୋନାସୀମା ଜିଲ୍ଲାର ନାମ ପରିବର୍ତ୍ତନକୁ ନେଇ ମଙ୍ଗଳବାର ଏଠାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଅମଲାପୁରମ୍‌ ସହରରେ ଏହି ହିଂସା ଘଟାଇଥିଲେ। ସେମାନେ ପୋଲିସ ଉପରକୁ ଢେଲା, ପଥର ମାଡ଼ କରିବା ସହ ରାସ୍ତାପାର୍ଶ୍ୱରେ ଥିବା ଯାନବାହନଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଏପରି କି, ପରିବହନ ମନ୍ତ୍ରୀ ପିନିପେ ବିଶ୍ୱରୂପ ଓ ସ୍ଥାନୀୟ ବିଧାୟକ ପୋନ୍ନାଦା ସତୀଶ୍‌ଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରୁ ପୋଲିସ ମନ୍ତ୍ରୀ ଓ ବିଧାୟକଙ୍କ ସହ ସେମାନଙ୍କ ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ତେବେ ଲୋକମାନେ ଏତିକିରେ ଶାନ୍ତ ହୋଇ ନ ଥିଲେ, ସେମାନେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରି ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଥିଲେ।

କହି ରଖୁଛୁ ଯେ ୪ ଏପ୍ରିଲରେ ପୂର୍ବ ଗୋଦାବରୀରୁ ଅଲଗା କରି କୋନସୀମା ଜିଲ୍ଲା ଗଠନ କରାଯାଇଛି। ଗତ ସପ୍ତାହରେ ରାଜ୍ୟ ସରକାର ପ୍ରାରମ୍ଭିକ ଅଧିସୂଚନା ଜାରି କରି ଏହାର ନାମ ବଦଳାଇ ବି ଆର୍‌ ଆମ୍ବେଡକର କୋନସୀମା ଜିଲ୍ଲା କରିବାକୁ ପ୍ରସ୍ତାବ ରଖିଥିଲେ। ଏପରି କି, ଲୋକମାନଙ୍କଠାରୁ ମଧ୍ୟ ଆପତ୍ତି ଅଭିଯୋଗ ମାଗିଥିଲେ। ଏ ଭିତରେ କୋନସୀମା ସାଧନା ସମିତି ଜିଲ୍ଲାର ନାମ ବଜାୟ ରଖିବା ପାଇଁ ମଙ୍ଗଳବାର ଜିଲ୍ଲା କଲେକ୍ଟର ଅଫିସ୍‌ ସମ୍ମୁଖରେ ଧାରଣା ଦେଇଥିଲା। ତେବେ ପୋଲିସ ଏହି ବିରୋଧକୁ ବିଫଳ କରିବାକୁ ଚେଷ୍ଟା କରିବା ବେଳେ ଲୋକେ ଅଧିକ ଉତ୍ତ୍ୟକ୍ତ ହୋଇ ହିଂସାତ୍ମକ କାର୍ଯ୍ୟ କରିଥିଲେ। ଏଥିରେ ୨୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ରହିଛି। ସେପଟେ କିଛି ରାଜନୈତିକ ଦଳ ତଥା ଅସନ୍ତୁଷ୍ଟ ଗୋଷ୍ଠୀ ଲୋକମାନଙ୍କୁ ଉସୁକାଇଥିବା ଗୃହମନ୍ତ୍ରୀ ତନତୀ ବନିତା ଅଭିଯୋଗ ଆଣିଛନ୍ତି।