Below header

ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡର ୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଠକେଇ ମାମଲା: ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

କଟକ(କେନ୍ୟୁଜ୍):  ଚିଟ୍‌ଫଣ୍ଡ ଠକେଇ ନେଇ ରାଜ୍ୟରେ ତୃତୀୟ ସଜା ଶୁଣାଣି । ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରୁଥିବା ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥାର ଦୁଇଟି ମାମଲାରେ ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଓପିଆଇଡି କୋର୍ଟ । ୨୦୧୬ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥାର ଅଭିଯୁକ୍ତମାନେ ବିନା ରେଜିଷ୍ଟ୍ରେସନରେ ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ୪ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଏନେଇ ଠକାମୀର ଶିକାର ହୋଇଥିବା କିଛି ବ୍ୟକ୍ତି ନିକିରାଇ ଥାନାରେ ଅଭିଯୋଗ କରିଥିଲେ।

ଏହି ମାମଲାରେ ଲକ୍ଷ୍ମୀପ୍ରିୟା ରାଉତ, ସ୍ମିତାଞ୍ଜଳୀ ରାଉତ, ସଂଜୀବ ରାଉତ ଓ ମନୋଜ ଲେଙ୍କାଙ୍କୁ ଠକେଇ ନେଇ ଆଇପିସି ଓ ଓପିଆଇଡି ଆକ୍ଟ ୬ରେ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି ସ୍ୱତନ୍ତ୍ର କୋର୍ଟ। ସେହିପରି ମନି ସରକୁଲେଶନ ଆକ୍ଟରେ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଓପିଆଇଡି କୋର୍ଟ। ସେହି ସୋସାଇଟିର ଅନ୍ୟ ଏକ ମାମଲାରେ ଭାଗ୍ୟବତୀ ରାଉତ, ଦୁର୍ଯ୍ୟୋଧନ ଭୂୟାଁଙ୍କୁ ୭ ବର୍ଷ ଜେଲ ଦଣ୍ଡା ଦେଶ ସହ ୧୦ ଲକ୍ଷ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ମନି ସର୍କୁଲେସନ ଆକ୍ଟରେ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଅନ୍ୟତମ ଅଭିଯୁକ୍ତ ଜୀବନଦୀପ ରାଉତଙ୍କୁ ଆଇପିସି ଓ ଓପିଆଇଡି ଆକ୍ଟରେ ୭ ବର୍ଷ ଜେଲ ଦଣ୍ଡ ଓ ୫ ଲକ୍ଷ ଟଙ୍କା ଅର୍ଥ ଦଣ୍ଡ ସହିତ ମନି ସର୍କୁଲେଶନ ଆକ୍ଟରେ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.