ଅଭାଗା ପୁଅ ମେଘନାଦ, ବାପା କି ମା’ କାହାରିକୁ ବି ମୁଖାଗ୍ନି ଦେଇ ପାରିଲାନି

ବୌଦ୍ଧ (କେନ୍ୟୁଜ୍‌) : ପୁଅର ଏମିତି ଭାଗ୍ୟ। ମା’ର ମଲା ମୁହଁ ଦେଖିଲା ସିନା ହେଲେ ମା’କୁ ମୁଖାଗ୍ନି ଦେଇ ପାରିଲା ନାହିଁ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଲସପୁର ଗ୍ରାମ ପଂଚାୟତ ପଦର ପଡା ଗାଁର ମେଘନାଦ ସାହୁ । ଗତ ସେବା ସମବାୟ ନିର୍ବାଚନରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହେଲା । ଏହି ସମୟରେ କଣ୍ଟାମାଲ ପୋଲିସ ନିର୍ବାଚନୀ ହିଂସା ଅଭିଯୋଗରେ ମେଘନାଦଙ୍କୁ ଗିରଫ କରି ନେଇ ଆସିଲା । ତାଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଦେଲା। ଏପଟେ ଏହି ଘଟଣାରେ ମେଘନାଦଙ୍କ ବାପା ପୂରା ଭାଙ୍ଗି ପଡ଼ିଲେ । କାରଣ ଆଜି ପର୍ଯ୍ଯନ୍ତ ସାହୁ ବଂଶ ନାଁରେ ଥାନାରେ କୌଣସି ମାମଲା ହୋଇ ନ ଥିଲା । ତେଣୁ ପୁଅ ମେଘନାଦ ସାହୁ ଗିରଫ ହେବା ଘ*ଟଣା ତାଙ୍କୁ ଖୁବ୍‌ ବାଧିଥିଲା । ଏକଥାକୁ ମେଘନାଦଙ୍କ ବାପା ସହି ପାରିଲେନି । ଆଉ ହୃଦଘାତରେ ତାଙ୍କର ମୃତ୍ୟୁ ହେଲା ବୋଲି କୁହାଯାଉଛି ।

ତେବେ ସମସ୍ତ ଚେଷ୍ଟା ଓ ଗୁହାରୀ ସତ୍ତ୍ୱେ କୁଆଡ଼େ ପୁଅ ମେଘନାଦ ବାପାଙ୍କୁ ମୁଖାଗ୍ନି ଦେଇ ପାରିଲେ ନାହିଁ । ଏଥିପାଇଁ ତାଙ୍କୁ ଅନୁମତି ମିଳିଲା ନାହିଁ । ଶେଷରେ ପରିବାରର ଅନ୍ୟ ଜଣେ ମେଘନାଦଙ୍କ ମୃତ ବାପାଙ୍କୁ ମୁଖଗ୍ନି ଦେଇଥିଲେ । ଏ ଘଟଣାକୁ ୨୦ ଦିନ ପୂରିଥିବା ବେଳେ ଆଜି ମେଘନାଦଙ୍କ ମା ନିଜ ସ୍ୱାମୀ ଓ ପୁଅକୁ ଝରି ଝୁରି ଆଖି ବୁଜି ଦେଲେ । ଆଜି ଦିନ ୧୧ଟାରେ ମା ବେଟିଖାଇ ସାହୁଙ୍କର ମୃତ୍ୟୁ ହେଲା ।

ଏହା ପରେ ପରିବାର ଲୋକେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଧରି ବୌଦ୍ଧ କୋର୍ଟ ସମ୍ମୁଖରେ ଅପେକ୍ଷା କଲେ । ସେଠାରେ ସେମାନେ ପୁଅ ଠାରୁ ମୁଖାଗ୍ନି ଲୋଡିଥିଲେ। ହେଲେ ଏଥିପାଇଁ ମଧ୍ୟ ଅନୁମତି ମିଳିଲାନି । ଦୀର୍ଘ ୪ ଘଣ୍ଟା ଧରି ଅପେକ୍ଷା କରିବା ପରେ ମେଘନାଦଙ୍କୁ ଶେଷଥର ପାଇଁ ମା’ର ମୁହଁ ଦେଖିବାକୁ ଅନୁମିତି ମିଳିଲା । ଆଉ ମେଘନାଦ ଦେଖି ସାରିବା ପରେ ପୁଣି ବିଚାର ବିଭାଗୀୟ ହାଜତକୁ ଫେରିଗଲେ ।
ମିଳିଥିବା ସୂଚନା ଅନୁସାରେ, ମେଘନାଦଙ୍କ ମା’ଙ୍କର ତାଙ୍କ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ଲୋକେ ତାଙ୍କ ମୁଖାଗ୍ନି ଦେଇଛନ୍ତି । ହେଲେ ପୁଅର କର୍ତ୍ତବ୍ୟ କରି ପାରିଲେନି ମେଘନାଦ । ଏହି ଘଟଣାକୁ ନେଇ ଏବେ ଜିଲ୍ଲା ସାରା ସବୁଠି ଚର୍ଚ୍ଚା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.