Below header

SHG ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି, ରୋଗଗ୍ରସ୍ତ ଓ ଦୁର୍ଘଟଣାର ଶିକାର ହେଲେ ମିଳିବ ସହାୟତା

୩-୪ ମାସ ମଧ୍ୟରେ ମିଶିନ ଶକ୍ତି ଫଣ୍ଡ କାର୍ଯ୍ୟକାରୀ ହେବ । ଏଥିଲାଗି ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ । ସେହିଭଳି SHG ମହିଳାଙ୍କୁ ରାଜ୍ୟ ସ୍ତରରେ ନେତୃତ୍ୱ ଦେବା ପାଇଁ ରାଜ୍ୟସ୍ତରୀୟ SHG ଫେଡରେସନ ଗଠନ ହେବ ।

କେନ୍ୟୁଜ୍(ବ୍ୟୁରୋ):  SHG ସଦସ୍ୟାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଭଳି କାର୍ଯ୍ୟ କରିବ ଏହି ସ୍ୱତନ୍ତ୍ର ଫଣ୍ଡ । କୌଣସି ଏସଏଚଜି ସଦସ୍ୟା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ । ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ । ଏଥିଲାଗି ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ । ସେହିଭଳି SHG ମହିଳାଙ୍କୁ ରାଜ୍ୟ ସ୍ତରରେ ନେତୃତ୍ୱ ଦେବା ପାଇଁ ରାଜ୍ୟସ୍ତରୀୟ SHG ଫେଡରେସନ ଗଠନ ହେବ ।

ରାଜ୍ୟସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରିହେବ, ସେନେଇ କାମ କରିବ ଫେଡେରେସନ୍‌ । ୮ ବର୍ଷରେ SHGଙ୍କୁ ଋଣ ସହାୟତା ୧୯ ଗୁଣା ବୃଦ୍ଧି ହୋଇଛି । SHG ଋଣ ସହାୟତା ୨୦୧୪-୧୫ରେ ୫୦୦ କୋଟି ଟଙ୍କାରୁ ବଢି ୨୦୨୨-୨୩ରେ ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । SHGଙ୍କ ଦ୍ୱାରା ଋଣ ପରିଶୋଧରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ।

SHGଙ୍କ କ୍ଷେତ୍ରରେ ଅନାଦେୟ ଋଣ ବା NPA ମାତ୍ର ୧.୯୯% ରହିଛି । ଏଥିଲାଗି କେନ୍ଦ୍ରଠାରୁ ପ୍ରଶଂସା ପାଇଛି ଓଡ଼ିଶା । ଓଡ଼ିଶାର ୮୬.୫% ମହିଳାଙ୍କ ପାଖରେ ରହିଛି ବ୍ୟାଙ୍କ ଖାତା । ଯାହାକି ଜାତୀୟ ହାର ୭୮.୬% ଠାରୁ ଢେର ଅଧିକ । ମିଶନ ଶକ୍ତି ବିଭାଗ ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରିପାରିଛି । ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମିଶନ ଶକ୍ତି କାଫେ, କୃଷି ଉତ୍ପାଦକ କ୍ଲଷ୍ଟର, ମିଲେଟ ଶକ୍ତି କାଫେ, ମାଛ ଚାଷ ଆଦି ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଦ୍ୱାରା କ୍ଷୁଦ୍ର ଉଦ୍ୟୋଗୀ ଭାବେ ନିଜକୁ ଗଢ଼ି ତୋଳି ପାରିଛନ୍ତି । ବିଭାଗଓ୍ଵାରୀ ରିପୋର୍ଟରେ ଏହି ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.