ସବୁ ଠିକ୍ କିନ୍ତୁ ଦୂଷିତ ପରିବେଶରେ ତିଆରି ହେଉଛି ସସ୍, ଜାରକାରେ ଥିବା ସସ୍ କାରଖାନା ଉପରେ ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡର ଚଢାଉ

ଯାଜପୁର (କେନ୍ୟୁଜ): ସସ୍ କାରଖାନା ଉପରେ ଯାଜପୁର ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡର ଚଢାଉ । ୧୬ନଂ ଜାତୀୟ ରାଜପଥର ଜାରକା ଛକ ନିକଟରେ ଥିବା ଏକ ସସ୍ କାରଖାନା ଉପରେ ଆଜି ଯାଜପୁର ଏସପିଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଚାନକ ଚଢାଉ କରିଛି । ଏହି ଚଢାଉରେ ଧର୍ମଶାଳା ପୋଲିସ ସାମିଲ ହୋଇଛି । ଦୀର୍ଘ ଦିନ ଧରି ଏଠାରେ ଟମାଟୋ, ଚିଲି ସସ ସହ ଖଟା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଆଗ୍ରୋ ଫ୍ରଣ୍ଟ ଅରଗାନିକ ଫୁଡ ନାମକ ଏକ ସଂସ୍ଥା ଏହି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ଛାଡୁଛି । ତେବେ ଏହି ଚଢାଉ ସମୟରେ କାରଖାନାର ମାଲିକ ଏଠାରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିବା ନେଇ ଆବଶ୍ୟକୀୟ କାଗଜପତ୍ର ଦେଖାଇଥିଲେ । ତେବେ ଏଠାରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟ ପ୍ରଣାଳୀ, ନଷ୍ଟ ସାମଗ୍ରୀଗୁଡିକ କାରଖାନା ପରିସରରେ ମହଜୁଦ ରହିଥିବା ଏହି ଟିମ ଅସନ୍ତୋଷ ଜାହିର କରିଥିଲେ ।

 ପୂର୍ବରୁ ଦୁଇ ଦୁଇ ଥର ଖାଦ୍ୟ ନିରାପତ୍ତା ବିଭାଗ ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀର ନମୂନା ଓ ମାନ ପରୀକ୍ଷା ନିରୀକ୍ଷା କରି ଏହା ସଠିକ ବୋଲି ସଂକେତ ଦେଇଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ଆଜି ସ୍ପେଶାଲ ସ୍କ୍ୱାର୍ଡ ଧର୍ମଶାଳା ପୋଲିସ ସହାୟତାରେ ଏଠାରେ ଚଢାଉ କରି ପାରିପାର୍ଶ୍ବିକ ଅବସ୍ଥା ବୁଲି ଦେଖିବା ସହ ସଂସ୍ଥାର କାଗଜପତ୍ର ଯାଞ୍ଚ କରିଥିଲା। ଏଥିସହ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗକୁ ପୁନଃ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତଦନୁଯାୟୀ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ କାଗଜପତ୍ରର ଯାଞ୍ଚ କରିଥିଲେ । ସଂପୃକ୍ତ ସଂସ୍ଥା ସମସ୍ତ ନୟମାବାଳୀକୁ ଅନୁପାଳନ କରି ଏହି ବ୍ୟବସାୟ ଚଳାଉଥିବା ଜିଲ୍ଲା ଖାଦ୍ୟ ନିରାପତା ଅଧିକାରୀ ବିଭୁଦତ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ ଅଭିଯୋଗ ଆସିଥିବାରୁ ପୁନଃ ନମୂନା ସଂଗ୍ରହ କରାଯିବା ସହ ପ୍ରସ୍ତୁତ ସାମଗ୍ରୀର ମାନ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିବା ପରେ ଅବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।