ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍‌ ମୁକାବିଲା ନେଇ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପ୍ରେସ ମିଟ୍, କହିଲେ ଉପକୂଳର ୪ଟି ଜିଲ୍ଲାରେ ପଡିବ ଅଧିକ ପ୍ରଭାବ

କେନ୍ୟୁଜ୍ (ବ୍ୟୁରୋ): ବାତ୍ୟା ଅମ୍ଫାନ୍‌ ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ । ଉପକୂଳର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ଏହି ୪ ଜିଲ୍ଲାରେ ପବନର ବେଗ ଅଧିକ ରହିବ । ସତର୍କ ରହିବା ପାଇଁ ସେସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଲର୍ଟରେ ୧୨ଟି ଜିଲ୍ଲା । ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି ।

ଲୋକଙ୍କୁ ସ୍ଥାନାନ୍ତର ପାଇଁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ଆସନ୍ତାକାଲିଠୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ । ଏବେ ସୁଦ୍ଧା ୭ ହଜାର ୯୨ଟି ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ ହୋଇଛି । ସାମାଜିକ ଦୂରତା ସହ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ।

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ବଙ୍ଗୋପସାଗରରେ ଆଗକୁ ବଢୁଛି ଅମ୍ଫାନ । ଘଣ୍ଟାପ୍ରତି ବର୍ତ୍ତମାନ ୩ କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୨୦ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଦୀଘା ଓ ହାତିଆ ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ୨୦ ତାରିଖ ଅପରାହ୍‌ଣରୁ ସଂଧ୍ୟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେ ଅମ୍ପାନ ସ୍ଥଳଭାଗ ଛୁଇଁବ ।

ଗତ ୬ ଘଣ୍ଟା ହେବ ବାତ୍ୟା ୩ କିଲୋମିଟର ବେଗରେ ଆଗକୁ ବଢୁଛି । ବର୍ତ୍ତମାନ ପାରାଦୀପଠାରୁ ୯୮୦ କିଲୋମିଟର ଦକ୍ଷିଣ ଓ ଦୀଘାଠାରୁ ୧୧୩୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ବାତ୍ୟା । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ।

ଆସନ୍ତା ୨୪ ଘଣ୍ଟାରେ ଅମ୍ଫାନ ଉତ୍ତର ଦିଗକୁ ଗତି କରିବା ସହ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁ ହେବ । ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଏତିକିବେଳେ ପବନର ବେଗ ୧୫୫ରୁ ୧୬୮ କିଲୋମିଟର ରହିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.