ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ଫେରିଲା ୟେସ୍‌ ବ୍ୟାଙ୍କରେ ଜମାଥିବା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା, ଅଧିକ ସୁଧ ଦେଉଥିବା ବ୍ୟାଙ୍କରେ ରଖାଯିବା ଏହି ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ଫେରିଲା ୟେସ୍‌ ବ୍ୟାଙ୍କରେ ଜମାଥିବା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ୨ଟି କିସ୍ତିରେ ୧୨୩ କୋଟି ଓ ୩୩ କୋଟି ମିଶି ମୋଟ ୧୫୬ କୋଟି ଟଙ୍କା ୟେସ ବ୍ୟାଙ୍କରେ ଜମା ହୋଇଥିଲା । ଆଜି ଏହି ଟଙ୍କା ମାଚ୍ୟୋର୍ଡ ହୋଇ ୩ କୋଟି ୩୫ ଲକ୍ଷ ଟଙ୍କା ସୁଧ ସହ ଶ୍ରୀମନ୍ଦିର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟକୁ ଫେରିଛି । ଏହି ଟଙ୍କାକୁ ଅଧିକ ସୁଧ ଦେଉଥିବା ବ୍ୟାଙ୍କରେ ରଖାଯିବା ପାଇଁ ଆଜି ଟେଣ୍ଡର କରାଯାଇଥିଲା । ଏହି ଟେଣ୍ଡର ପ୍ରକ୍ରିୟାରେ ବ୍ୟାଙ୍କ ଅଫ ବରୋଦା ସର୍ବାଧିକ ୬ଦଶମିକ ୦୫ ପ୍ରତିଶତ ହାରରେ ସୁଧ ଦେଉଥିବାରୁ ସେଥିରେ ଟଙ୍କା ଜମା ପାଇଁ ପ୍ରାୟ ନିଶ୍ଚିତ ହୋଇଛି । ତେବେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଅର୍ଥ ସବ୍‌କମିଟି ସୂଚନା ଦେଇଛି ।

srimandira

ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩୯୭ କୋଟି ଟଙ୍କା ସୁଧ ସହ ୟେସ ବ୍ୟାଙ୍କରୁ ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରିବା ପରେ ଏଥିରୁ ଶହେ ଦୁଇ କୋଟି ଟଙ୍କା ଏସବିଆଇରେ ଜମା ରଖାଯାଇଛି । ବାକି ୨୮୭ କୋଟି ଟଙ୍କାକୁ ଦୁଇ ସମାନ ଭାଗରେ ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାରେ ରଖାଯାଇଛି । ସେହିପରି ଆଜିର ଅର୍ଥ ସବ୍‌ କମିଟି ବୈଠକରେ ଶ୍ରୀମନ୍ଦିର ରିଲଫ ଫଣ୍ଡ ଗଠନ କରାଯାଇ ସେଥିରେ ଭକ୍ତ, ସେବାୟତମାନେ ଦାନ କରିବାକୁ ନିବେଦନ କରାଯାଇଛି । ୫ ଜଣ ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ପ୍ରତିନିଧି ସେମାନଙ୍କ ୨ ବର୍ଷର ସିଟିଂ ଆଲାଉନସ ୨ ଲକ୍ଷ ଟଙ୍କା ଏହି ଫଣ୍ଡରେ ଦାନ କରିଛନ୍ତି । ଏହି ଫଣ୍ଡରେ ଆଦାୟ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.