ଓମଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ସହାୟତା ଘୋଷଣା । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬ ହଜାର ଟଙ୍କା ଯାଏ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ମହାମାରୀ ଓଡ଼ିଶା ସମେତ ସାରା ବିଶ୍ଵରେ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି । ଅର୍ଥନୀତିର ପ୍ରାୟ ଅନ୍ୟ ସମସ୍ତ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସଂଜୀବନୀ ପରି ଆମ ଅର୍ଥନୀତିକୁ ଶକ୍ତି ଯୋଗାଇଛି । ଲକଡାଉନ ଏବଂ ସଟ୍‌ଡାଉନ ସମୟରେ ଚାଷୀମାନେ ଯେପରି ସାହସର ସହ ସେମାନଙ୍କର ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି ତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି ।

ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍ଧ ଚାଷୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ଏଥିସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନଜୀବିକାରେ ବିଶେଷ ସହାୟକ ହୋଇଥାଏ । କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଚାହିଦାରେ ବଡ ଧରଣର ହ୍ରାସ ଘଟିଥିବାରୁ ଏହା ଦୁଗ୍ଧ ଚାଷୀଙ୍କ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ଚାଷୀଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.