ଆସନ୍ତା ବର୍ଷ ସରକାରୀ କର୍ମଚାରୀ ପାଇବେ ସମୁଦାୟ ୧୦୬ ଦିନ ଛୁଟି

କେନ୍ୟୁଜ୍‌: ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଆସନ୍ତା ୨୦୨୧ ମସିହାରେ ମୋଟ ୧୦୬ ଦିନ ଛୁଟିରେ ରହିବାର ସୁଯୋଗ ପାଇବେ। ଏହି ୧୦୬ଟି ଛୁଟିରେ ୨୯ ଦିନ ସରକାରୀ ଛୁଟି, ୫୨ଟି ରବିବାର, ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ସମେତ ଗୋଟିଏ ଦିନର ଇଚ୍ଛାଧୀନ ଛୁଟି ସାମିଲ ଅଛି। ଅନ୍ୟପଟେ ଆଗାମୀ ୨୦୨୧ ମସିହାରେ ସରକାରୀ କର୍ମଚାରୀଙ୍କ ୯ଟି ଛୁଟି ବେକାର ଯାଇଛି। ଏହି ୯ଦିନ ଛୁଟି ମଧ୍ୟରୁ ୩ଟି ରବିବାର ପଡ଼ିଥିବାବେଳେ ୫ଟି ଶନିବାର ଓ ଗୋଟିଏ ଦିନରେ ମହାବିଷୁବ ସଂକ୍ରାନ୍ତି,ଆମ୍ବେଦକର ଜୟନ୍ତୀ ଓ ମହାବୀର ଜୟନ୍ତୀ ପଡ଼ୁଛି। ଯେଉଁ କାରଣରୁ ଏପ୍ରିଲ ୧୪ରେ ମହାବୀର ଜୟନ୍ତୀ ଛୁଟି ବେକାର ଯାଇଛି।

ସୂଚନା ମୁତାବକ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ବିଜ୍ଞପ୍ତି ଜାରି କରି ୨୦୨୧ ମସିହା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛନ୍ତି। ଏହି ଛୁଟିଦିନ ମଧ୍ୟରୁ ସରକାରୀ କର୍ମଚାରୀ ଚାହିଁଲେ ଗୋଟିଏ ଦିନ ନିଜ ଇଚ୍ଛା ମୁତାବକ ଛୁଟି ନେଇପାରିବେ। ଇଚ୍ଛାଧୀନ ଛୁଟିରେ ଜାନୁୟାରୀ ୨୦ରେ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ଜାନୁୟାରୀ ୨୫ରେ ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଏପ୍ରିଲ ୩ରେ ଇଷ୍ଟର ସଟରଡେ’, ମଇ ୧୦ରେ ଶବେ-ଇ-କାଦର, ମଇ ୨୬ରେ ବୁଦ୍ଧପୂର୍ଣ୍ଣିମା ଓ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ, ଜୁଲାଇ ୨୦ରେ ବାହୁଡ଼ା, ନଭେମ୍ବର ୧୨ରେ ଅଁଳାନବମୀ ଓ ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ୍ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ଘୋଷଣା କରାଯାଇଛି।

ସେହିପରି ୯ଟି ଛୁଟିଦିନ ଶନିବାର,ରବିବାର ଓ ଅନ୍ୟ ଛୁଟିଦିନରେ ପଡ଼ୁଥିବାରୁ ସେଗୁଡ଼ିକ ବେକାର ଯାଇଛି। ମହାବୀର ଜୟନ୍ତୀ ଏପ୍ରିଲ ୧୪ତାରିଖ ବୁଧବାର ଦିନ ପଡୁଥିବା ବେଳେ ସେହିଦିନ ମହାବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ଯୋଗୁ ସରକାରୀ ଛୁଟି ରହିବ। ସେହିଭଳି ମଇ ୨୨ ଚତୁର୍ଥ ଶନିବାରରେ ରାଜା ରାମମୋହନ ରାୟ ଜୟନ୍ତୀ, ନଭେମ୍ବର ୨୭ ଚତୁର୍ଥ ଶନିବାରରେ ପ୍ରଥମାଷ୍ଟମୀ ପଡ଼ୁଛି। ସରକାରୀ ନିୟମ ଅନୁସାରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ରହୁଥିବାରୁ ଏହି ଛୁଟି ବେକାର ଯାଇଛି। ସେହିପରି ସୁବାସ ବୋଷ ଓ ବୀରସୁରେନ୍ଦ୍ର ସାଏ ଜୟନ୍ତୀ ଚତୁର୍ଥ ଶନିବାର,ଦୋଳପୂଣ୍ଣିମା ରବିବାର, ସ୍ୱାଧୀନତା ଦିବସ ରବିବାର,ଝୁଲଣ ପୂର୍ଣ୍ଣିମା ରବିବାର, ନୂଆଖାଇ ଦ୍ୱିତୀୟ ଶନିବାର ଓ ଏକ୍ସମାସ ଚତୁର୍ଥ ଶନିବାର ଛୁଟିଦିନରେ ପଡ଼ୁଛି ବୋଲି ରାଜସ୍ୱ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.