ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ନୋଟିଫିକେସନ ଜାରି : ସ୍କୁଲ୍ ଫି କୋହଳ କରିବାକୁ ସବୁ ସ୍କୁଲକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ବର: ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ନୋଟିଫିକେସନ କଲେ ରାଜ୍ୟ ସରକାର । ସେପ୍ଟେମ୍ବର ୧୦ରେ ହୋଇଥିବା ଏମଓୟୁ ଅନୁଯାୟୀ ଫି ଛାଡ଼ କରିବାକୁ ଘରୋଇ ସ୍କୁଲ ଗୁଡିକୁ ଅନୁରୋଧ କରିଛନ୍ତି । ଜାନୁଆରୀ ୭ ତାରିଖରେ ସମସ୍ତ ମାମଲାର ପୂର୍ଣଛେଦ ଦେଇଥିଲେ ଓଡିଶା ହାଇକୋର୍ଟ । ସାତୋଟି ସ୍ଲାବରେ ଫି ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ । ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏହାର ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ସଂଘ ଓ ଅବିଭାବକ ମହାସଂଘର ମିଳିତ ବୈଠକ ହୋଇଥିଲା । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କିଛି ପ୍ରତିଶତ ସ୍କୁଲ ଫି କମାଇ ଦେବାକୁ ସ୍କୁଲ ଗୁଡିକୁ ଅନୁରୋଧ କରିଥିଲେ । ବୈଠକରେ ସକରାତ୍ମକ ଆଲୋଚନା ହେବା ସହ ବୈଠକରେ ବାହାରିଥିବା ନିର୍ଯାସକୁ ନେଇ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ଉପସ୍ଥାପିତ ହୋଇଥିଲା ।

schoolସ୍କୁଲ କର୍ତ୍ତୃପକ୍ଷଙ୍କ ସହ ସରକାର କରିଥିବା ଏମଓୟୁ ଅନୁଯାୟୀ, ବାର୍ଷିକ ୬ ହଜାର ଫି ଦେଉଥିବା ଛାତ୍ର ଛାତ୍ରୀଙ୍କର କୌଣସି ଛାଡ଼ ହେବନାହିଁ । ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ୭.୫ ପ୍ରତିଶତ, ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ଥିଲେ ୨୬ ପ୍ରତିଶତ ଫି କମାଇଦେବାକୁ ସରକାର ଚୁକ୍ତି କରିବା ସହ ଗତ ସେପ୍ଟେମ୍ବର ୨୯ ତାରିଖରେ ଏ ନେଇ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ । ଏହି ଏମଓୟୁକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଏହି ନୋଟିଫିକେସନରେ କହିଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.