Below header

ଯାଜପୁର ରୋଡ଼ : କରୋନା ଆଳରେ ଛଡ଼ାଇ ନେଉଛନ୍ତି ଜୀବିକା, ଇମ୍ଫା ବିରୋଧରେ ଗର୍ଜିଲେ ଶହ ଶହ ଶ୍ରମିକ

ଯାଜପୁର ରୋଡ଼ : ଶ୍ରମିକ ମାରଣ ନୀତି ଅବଲମ୍ବନ କରିଛି ଇମ୍ଫା କମ୍ପାନୀ। କରୋନା ଆଳରେ ଛଡେଇ ନେଇଛି ଶହ ଶହ ଶ୍ରମିକଙ୍କ ଜୀବିକା। କର୍ମଚାରୀଙ୍କୁ ଦେଉନାହିଁ ମହଙ୍ଗା ଭତ୍ତା ଓ ବର୍ଦ୍ଧିତ ଦରମା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ। ଏଭଳି ଅଭିଯୋଗ କରି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଲୋଡିଂ ଶ୍ରମିକ ଓ କର୍ମଚାରୀ। ଗତ ଦୁଇ ଦିନ ଧରି ଖଣି ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶ୍ରମିକମାନେ ଧାରଣାରେ ବସିଛନ୍ତି। ଯାଜପୁର କାଳିଆପାଣି ଠାରେ ଥିବା ଇମ୍ଫା କ୍ରୋମାଇଟ୍ ଖଣିରେ ଏଭଳି ପରିସ୍ଥିତି ଉପୁଜିଛି।

IMFA-2

ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳ କାଳିଆପାଣି ଠାରେ ଥିବା ଇମ୍ପା ଖଣିରେ ଏନେଇ ଶ୍ରମିକ ଅଶାନ୍ତି ଦେଖା ଦେଇଛି। ଖଣି କର୍ତ୍ତୃପକ୍ଷ କାମ ଦେଉନଥିବା ଅଭିଯୋଗ ସହ ୯ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଶ୍ରମିକ ଓ କର୍ମଚାରୀ । ୨ ଦିନ ହେଲା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ସୂଚନା ମୁତାବକ କରୋନା ଜନିତ ବିଭିନ୍ନ କଟକଣା ଯୋଗୁଁ ସରକାରଙ୍କ ନିୟମ ପାଳନ କରି ଖଣିରେ ଅଳ୍ପ ସଂଖ୍ୟକ ଲୋକ କାମ କରୁଥିଲେ । ହେଲେ ଗତ ୧ ତାରିଖ ଦିନ ହଠାତ୍ ଇମ୍ଫା ଖଣି କର୍ତ୍ତୃପକ୍ଷ ଉକ୍ତ ଲୋଡିଂ ଶ୍ରମିକଙ୍କୁ କାମରେ ଯୋଗ ଦେବାକୁ ମନା କରିଦେଲେ। ପୂର୍ବରୁ ଲୋଡିଂ କାମ ଲେବରମାନେ କରୁଥିବା ବେଳେ ବର୍ତ୍ତମାନ ଏହା ମେସିନ୍ ଦ୍ୱାରା କରାଯାଉଛି। ଫଳରେ ଶ୍ରମିକମାନେ ଜୀବିକା ହରାଇଛନ୍ତି। ତେଣୁ ବାଧ୍ୟ ହୋଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୁନର୍ବାର କାମ ଯୋଗାଇ ଦିଆ ନଗଲେ ଆନ୍ଦୋଳନକୁ ଆହୁରି ଜୋରରଦାର କରାଯିବା ସହ ଖଣି ସମ୍ମୁଖରେ ଶ୍ରମିକମାନେ ସପରିବାରେ ଜୀବନ ହାରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଆଗକୁ ଯଦି କିଛି ଅଘଟଣ ଘଟେ, ସେଥିପାଇଁ ଇମ୍ଫା ଖଣି କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରମିକମାନେ ଚେତାଇ ଦେଇଛନ୍ତି ।

IMFA-3

ଶ୍ରମିକଙ୍କ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଇମ୍ଫା ଖଣିରେ କାର‌୍ୟ୍ୟରତ ଅନେକ କର୍ମଚାରୀ। କେନ୍ଦ୍ର ସରକାର ବୃଦ୍ଧି କରିଥିବା ମହଙ୍ଗା ଭତ୍ତା ସମେତ ବର୍ଦ୍ଧିତ ଦରମା ଓ ମେଡିକାଲ ଆଦି ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଦିଆଯାଉ ନାହିଁ । କରୋନା ଆଳରେ କର୍ମଚାରୀମାନଙ୍କୁ ଏଭଳି ନିର‌୍ୟାତନା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ଇମ୍ଫା ଲୋଡିଂ ଶ୍ରମିକ ଓ କର୍ମଚାରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ। ତେଣୁ ସଂଘ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ତୁରନ୍ତ ଏହି ଶ୍ରମିକ ଓ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଇମ୍ଫା ଖଣିରୁ କ୍ରୋମ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ଏନେଇ ଇମ୍ଫା ଖଣି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.