ସିସିଟିଭି ପାଇଁ ଧରାପଡିଗଲେ ବୋଲି ରାଗିଗଲେ କୁକୁର ଚୋର, ଘର ଲୋକଙ୍କ ଉପରେ ଆକ୍ରମଣ କରିବା ସହିତ ଜାଳିଦେଲେ କାର୍

ତାଳଚେର: କୁକୁର ଚୋରକୁ ଧରାଇ ଦେଲେ ବୋଲି ଘର ଉପରେ ଆକ୍ରମଣ । ଘର ଉପରେ ରାତି ଅଧରେ ଆକ୍ରମଣ କରିବା ସହ ଗାଡି ମଧ୍ୟ ପୋଡ଼ିଦେଲେ । ଯାହାର ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି  । ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡା ଗାଁର ବାବୁଲି ସାମଲଙ୍କ ପଡୋଶୀ ଘରୁ ଏକ ଦାମୀ ବିଦେଶୀ କୁକୁର ଚୋରି ହୋଇଥିଲା । ପଡିଶା ଘର ଲୋକ ଏନେଇ ତାଳଚେର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ବେଳେ ବାବୁଲିଙ୍କ ଘରେ ଲାଗିଥିବା ସିସିଟିଭି ଚୋରକୁ ଧରିବାରେ ସାହାଯ୍ୟ କରିଥିଲା । ସିସିଟିଭି ଆଧାରରେ ପୋଲିସ ଚୋରକୁ ଧରିବାରେ ସକ୍ଷମ ହୋଇଥିଲା।

ତେବେ ଏ କଥା ଚୋର ମଧ୍ୟ ଜାଣିଗଲେ ଯେ ବାବୁଲିଙ୍କ ସିସି ଟିଭି ଯୋଗୁଁ ସେମାନେ ଧରା ପଡିଗଲେ । ଆଉ ଏଥିପାଇଁ ବାବୁଲିଙ୍କ ଘର ଉପରେ ରାତି ୧୦ଟାରେ ଆକ୍ରମଣ କରିବା ସହ ବାବୁଲି ଓ ତାଙ୍କ ପରିବାର ଲୋକଙ୍କୁ ବାଡିଆପିଟା କରି ପଳାଇ ଯାଇଥିଲେ । ଏହାପରେ ପୁଣି ରାତି ୧ଟା ରେ ଆସି ଦୁର୍ବୃତ୍ତମାନେ ବାବୁଲିଙ୍କ ଘର ଉପରେ ଆଉ ଥରେ ଆକ୍ରମଣ କରିଥିଲେ। ଘର ଆଗରେ ଥିବା ତାଙ୍କ କାରକୁ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଫଳରେ କାରଟି ସମ୍ପୂର୍ଣ୍ଣ ଜଳି ଯିବା ସହ ସେଠାରେ ଥିବା ଆସବାବପତ୍ର ମଧ୍ୟ ପୋଡି ଯାଇଥିଲା । ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଥିଲା ସିସି ଟିଭିରେ ।

ଦୁର୍ବୃତ୍ତଙ୍କ ଆକ୍ରମଣ ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେତେବେଳକୁ ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ । ପୋଲିସ ସିସିଟିଭି ଆଧାରରେ ତଦନ୍ତ କରୁଛି । ତେବେ ଏଭଳି ଘଟଣା ପରେ ବାବୁଲିଙ୍କ ପରିବାର ତଥା ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଛନ୍ତି । ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।  ଏହାସହ ପୋଲିସ୍ ର ଭୂମିକା ମଧ୍ଯ ସନ୍ଦେହ ଘେରକୁ ଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.